Categories: ଜାତୀୟ

ମାର୍ଗଦର୍ଶିକା ଶେୟାର କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫ା୩(ପି.ଟି.): କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ନିମନ୍ତେ ହୋମ୍‌ କ୍ୱାରାଣ୍ଟାଇନ (ଘରେ ନିଜକୁ ଅନ୍ୟମାନଙ୍କଠାରୁ ଅଲଗା ରଖିବା) ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମାର୍ଗଦର୍ଶିକାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଟୁଇଟରରେ ଶେୟାର କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ସୂଚନାକୁ ପଢ଼ିବା ପାଇଁ ସେ ଆହ୍ବାନ ଦେଇଛନ୍ତି। ହୋମ୍‌ କ୍ୱାରାଣ୍ଟାଇନ ଅର୍ଥ ନିଜକୁ ଓ ନିଜର ଆତ୍ମୀୟମାନଙ୍କୁ ସୁରକ୍ଷା ଦେବା। ଗାଇଡଲାଇନ୍ସ ଅନୁଯାୟୀ ଯେଉଁମାନେ ଘରେ ଅନ୍ୟମାନଙ୍କଠାରୁ ଅଲଗା ରହୁଛନ୍ତି, ସେମାନେ ଉତ୍ତମ ବାୟୁ ଚଳାଚଳ କରୁଥିବା ଏକକ କୋଠାରିରେ ରହନ୍ତୁ। ଏହି କୋଠାରି ସହ ସଂଯୁକ୍ତ କିମ୍ବା ଅଲଗା ପାଇଖାନା ଥିଲେ ଭଲ। ଯଦି ସେହି ପ୍ରକୋଷ୍ଠରେ ପରିବାରର ଅନ୍ୟ ସଦସ୍ୟ ରହିବାକୁ ଚାହାନ୍ତି, ତେବେ ତାଙ୍କଠାରୁ ଅନୂ୍ୟନ ୧ ମିଟର ଦୂରତା ରକ୍ଷା କରିବା ପାଇଁ ପରାମର୍ଶ ଦିଆଯାଇଛି। କ୍ୱାରାଣ୍ଟାଇନ୍‌ରେ ଥିବା ବ୍ୟକ୍ତି ପରିବାରର ବୃଦ୍ଧ, ଗର୍ଭବତୀ ମହିଳା ଓ ଶିଶୁଙ୍କଠାରୁ ନିଶ୍ଚୟ ଦୂରେଇ ରହିବାକୁ କୁହାଯାଇଛି।

Share