ମାର୍ଚ୍ଚ ଯାଏ ବଢ଼ିବନି ତାତି

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ଫେବୃୟାରୀ ଶେଷ ଯାଏ ପାଗ ଅନୁକୂଳ ରହିବ। ଅଧିକ ଗରମ ଅନୁଭୂତ ହେବ ନାହିଁ। ଉତ୍ତର ପଶ୍ଚିମ ଦିଗରୁ ଭୂପୃଷ୍ଠରୁ ୧୨ କି.ମି ଉଚ୍ଚତାରେ ଥଣ୍ଡା ବାୟୁ ଘଣ୍ଟାକୁ ୧୦୦ କି.ମି ବେଗରେ ବହୁଛି। ଏଥିଯୋଗୁ ରାଜ୍ୟରେ ଗରମ ଅନୁଭୂତ ହେବ ନାହିଁ। ଦିନର ତାପମାତ୍ରା ୩୦ରୁ ୩୧ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ। ରାତ୍ରିରେ ଥଣ୍ଡା ଅନୁଭୂତ ହେବ। ଆସନ୍ତା ୨୨ରୁ ୨୬ ତାରିଖ ଯାଏ ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, କଳାହାଣ୍ଡି, ନୟାଗଡ଼, ବଲାଙ୍ଗୀର, କୋରାପୁଟ, ଖୋର୍ଦ୍ଧା, କଟକ, ଭଦ୍ରକ ଏବଂ ଯାଜପୁର ଜିଲାର କେତେକ ସ୍ଥାନରେ କୁହୁଡ଼ି ହେବାର ସମ୍ଭାବନା ରହିଛି। ସେହିପରି ଏହି ସମୟ ମଧ୍ୟରେ ଅନୁଗୋଳ, ସୋନପୁର, ବୌଦ୍ଧ, ବଲାଙ୍ଗୀର ଜିଲାର କେତେକ ସ୍ଥାନରେ ଥଣ୍ଡା ବାୟୁ ପ୍ରବାହିତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏ ନେଇ ଏଲୋଓ୍ବାର୍ନିଂ ଜାରି କରାଯାଇଛି।

Share