ମାର୍ଚ୍ଚ ସୁଦ୍ଧା ପ୍ରକଳ୍ପ ସାରିବାକୁ ନିର୍ଦ୍ଦେଶ

ଯାଜପୁର ଟାଉନ,୨୭ା୨(ଡିଏନଏ): ଯାଜପୁରର ଭାରପ୍ରାପ୍ତ ଜିଲାପାଳ ତଥା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ବୁଧବାର ଦଶରଥପୁର ବ୍ଲକର ଅକରପଡା ଓ ବିରଜାପୁର ପଞ୍ଚାୟତ ଗସ୍ତ କରି ବିଭିନ୍ନ ସରକାରୀ ଅନୁଷ୍ଠାନ ଅନୁଧ୍ୟାନ କରିଛନ୍ତି। ପଞ୍ଚାୟତିରାଜ ବିଭାଗ ଅଧୀନ ବିଭିନ୍ନ ପ୍ରକଳ୍ପଗୁଡିକର ନିର୍ମାଣ ସମୟସୀମା ମଧ୍ୟରେ ଶେଷ ହେଉ ନ ଥିବାରୁ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ତଥା ଭାରାପ୍ରାପ୍ତ ଜିଲାପାଳ ଇନ୍ଦ୍ରମଣି ନାୟକ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ମାର୍ଚ୍ଚ ସରିବାକୁ ଆଉ ୧ ମାସ ସମୟ ରହିଥିବାବେଳେ ବିଭିନ୍ନ ସ୍ଥାନରେ ଚାଲିଥିବା ଉନ୍ନୟନ କାର୍ଯ୍ୟ, ବିଶେଷ କରି କଂକ୍ରିଟ ରୋଡ, ଅଙ୍ଗନୱାଡି କେନ୍ଦ୍ରଗୃହ, ପଞ୍ଚାୟତ ଗୃହ, ସ୍ବଚ୍ଛ ଭାରତ ମିଶନର ପାଇଖାନା, ଏମ୍‌ଜିଏନ୍‌ଆରଇଜିଏସ୍‌ ଅନ୍ତର୍ଗତ ପ୍ରକଳ୍ପଗୁଡିକର କାର୍ଯ୍ୟ ଶେଷ କରିବାକୁ ବିଡିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକଳ୍ପଗୁଡିକର ଅଗ୍ରଗତି କିପରି ଅଛି ଓ ନିର୍ମାଣ କାର୍ଯ୍ୟର ମାନ କେଉଁ ପ୍ରକାର ତାକୁ ପରଖିବା ପାଇଁ ନାୟକ ବୁଧବାର ଅଚାନକ ଭାବେ ଦଶରଥପୁର ବ୍ଲକ ଅନ୍ତର୍ଗତ ବିରଜାପୁର ପଞ୍ଚାୟତକୁ ଯାଇ ସେଠାର ନୂତନ ପଞ୍ଚାୟତ ଗୃହ ନିର୍ମାଣ କାର୍ଯ୍ୟର ତଦାରଖ କରିଥିଲେ। ୩୫ଲକ୍ଷ ଟଙ୍କା ବ୍ୟୟରେ ୨ମହଲା ବିଶିଷ୍ଟ ହେବାକୁ ଥିବା ଉକ୍ତ ପ୍ରକଳ୍ପଟି ଦ୍ରୁତ ଗତିରେ ଚାଲିଥିବା ଦେଖି ଭାରାପ୍ରାପ୍ତ ଜିଲାପାଳ ସନ୍ତୋଷ ପ୍ରକାଶ କରିଥିଲେ। ନିର୍ମାଣ କାର୍ଯ୍ୟର ମାନକୁ ମଧ୍ୟ ପରଖି ଉପସ୍ଥିତ କନିଷ୍ଠ ଯନ୍ତ୍ରୀଙ୍କୁ କେତେକ ପରାମର୍ଶ ଦେଇଥିଲେ। ତାଙ୍କର ଏହି ଗସ୍ତ ସମୟରେ ଜିଲା ପଞ୍ଚାୟତ ଅଧିକାରୀ ଅଶୋକ କୁମାର ସେଠୀ, କନିଷ୍ଠଯନ୍ତ୍ରୀ ଅମୀୟ କୁମାର ସାହୁ, ନରେଗା ସଂଯୋଜକ ଚିନ୍ମୟ କୁମାର ସିଂ ପ୍ରମୁଖ ଉପସ୍ଥିତ ଥିଲେ।

Share