Categories: ବାଣିଜ୍ୟ

ମାର୍ଚ୍ଚ ସୁଦ୍ଧା ବିପିସିଏଲ୍‌, ଏୟାର ଇଣ୍ଡିଆର ଘରୋଇକରଣ

ନୂଆଦିଲ୍ଲୀ,୧୭-୧୧: ୨୦୨୦ ମାର୍ଚ୍ଚ ସୁଦ୍ଧା ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ବିପିସିଏଲ୍‌ ) ଏବଂ ରାଷ୍ଟ୍ରାୟତ୍ତ ଏୟାର ଇଣ୍ଡିଆର ଘରୋଇକରଣ ସମସ୍ତ ପ୍ରକ୍ରିୟା ଶେଷ ହେବ। ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏକ ଜାତୀୟ ମୁଦ୍ରିତ ଗଣମାଧ୍ୟମକୁ ସାକ୍ଷାତ୍‌କାରରେ ଏହି ସୂଚନା ଦେଇଛନ୍ତି। କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆକୁ ସମ୍ପୂର୍ଣ୍ଣ ଘରୋଇକରଣ କରିବା ଲାଗି ସରକାର ପ୍ରୟାସ ଜାରି ରଖିଛନ୍ତି। ଏହି ଧାରାରେ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ରୋଡ ଶୋ’ ମଧ୍ୟ ଆୟୋଜନ କରାଯାଇଛି। ନିବେଶକମାନେ ଏୟାର ଇଣ୍ଡିଆ ଲାଗି ଭଲ ରେସପନ୍ସ ଦେଖାଇଥିବା ଜଣାପଡିଛି। ଏହି ଦୁଇ କମ୍ପାନୀର ପୁଞ୍ଜି ପ୍ରତ୍ୟାହାର କାର୍ଯ୍ୟକୁ ଚଳିତ ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ସାରିବାକୁ ସରକାର ସମସ୍ତ କାର୍ଯ୍ୟପନ୍ଥା ଗ୍ରହଣ କରୁଥିବା ନିର୍ମଳା ସ୍ପଷ୍ଟ କରିଛନ୍ତି।
ସୀତାରାମନ କହିଛନ୍ତି ଯେ, ଚଳିତ ଆର୍ଥତ୍କ ବର୍ଷରେ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ନେଇ ସରକାର ଅଗ୍ରସର ହେଉଛନ୍ତି। ଏହାବାଦ ଏହି ୨ କମ୍ପାନୀର ଅଂଶଧନ ବିକ୍ରି ପଦକ୍ଷେପ ଗ୍ରହଣ କରାଯାଇଛି। ଏୟାର ଇଣ୍ଡିଆ ଅଂଶଧନ ବିକ୍ରି ଲାଗି ସରକାର ପୂର୍ବରୁ ଚେଷ୍ଟା ଜାରି ରହିଥିଲେ ମଧ୍ୟ ଏବେ ଯାଏ ଏଦିଗରେ କୌଣସି ନିର୍ଯାସ ବାହାରି ନାହିଁ। ମାନ୍ଦାବସ୍ଥା ଉପରେ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଏଭଳି ସ୍ଥିତିକୁ ଲଢିବା ଲାଗି ସରକାର ବିଭିନ୍ନ କାର୍ଯ୍ୟପନ୍ଥା ଗ୍ରହଣ କରିଛନ୍ତି। ଅନେକ କ୍ଷେତ୍ର ଧୀରେ ଧୀରେ ମାନ୍ଦାବସ୍ଥା କବଳରୁ ବାହାରିବାକୁ ଆରମ୍ଭ କରିଛନ୍ତି। ଶିଳ୍ପ କ୍ୟାପଟେନମାନେ ନୂଆ ନିବେଶ ନେଇ ଯୋଜନା ରଖିଥିବା ବେଳେ କମ୍ପାନୀଗୁଡିକର ବାଲାନ୍ସ ଶିଟରେ ଉନ୍ନତି ଆଣିବା ଲାଗି କମ୍ପାନୀଗୁଡିକ ଚେଷ୍ଠା ବଜାୟ ରଖିଛନ୍ତି।
ଅପରପକ୍ଷରେ ଜିଏସ୍‌ଟି ଚୋରିକୁ ରୋକିବା ଦିଗରେ ସରକାର ଯୋଜନା ହାତକୁ ନେଇଛନ୍ତି। ବିଭିନ୍ନ ବର୍ଗର ସାମଗ୍ରୀ ବିକ୍ରିରେ ଉନ୍ନତି ଆସିଲେ ରାଜସ୍ବ ସଂଗ୍ରହ ଉନ୍ନତ ହେବା ନେଇ ଆଶାବାଦୀ ରହିଥିବା ସେ ମତ ରଖିଛନ୍ତି। ପାର୍ବଣ ସମୟରେ ବ୍ୟାଙ୍କଗୁଡିକ ଆଉଟରିଚ୍‌ କାର୍ଯ୍ୟକ୍ରମ ଦ୍ୱାରା ସାରା ଦେଶରେ ଋଣ ଯୋଗାଣ କରିଥିବାରୁ ଗ୍ରାହକଙ୍କ ମନୋଭାବରେ ଉନ୍ନତି ଆସିଥିବା ସେ ମତ ରଖିଛନ୍ତି।

Share