Categories: ଖେଳ

ମାର୍ଚ୍ଚ ୨ରୁ ଟ୍ରେନିଂ ଆରମ୍ଭ କରିବେ ଧୋନୀ

ଚେନ୍ନାଇ, ୨୫।୨ (ପି.ଟି.)- ଦୀର୍ଘ ଦିନର ବ୍ୟବଧାନରେ ପଡ଼ିଆକୁ ଫେରିବେ ଭାରତୀୟ କ୍ରିକେଟ୍‌ ଦଳର ଅନ୍ୟତମ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ତ୍ରୟୋଦଶ ସଂସ୍କରଣ ଲାଗି ଧୋନୀ ତାଙ୍କ ଟ୍ରେନିଂ ଆରମ୍ଭ କରିବେ ବୋଲି ଜଣାପଡ଼ିଛି। ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ)ର ଅଧିନାୟକ ରହିଥିବା ୩୮ ବର୍ଷୀୟ ଏହି ଭେଟେରାନ ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ ଅନ୍ୟ ଖେଳାଳିଙ୍କ ସହ ମାର୍ଚ୍ଚ ୨ରୁ ଆଇପିଏଲ୍‌ ପାଇଁ ଟ୍ରେନିଂ ଆରମ୍ଭ କରିବେ। ସ୍ଥାନୀୟ ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ ସୁପର୍‌ କିଙ୍ଗ୍ସର ଘରୋଇ ପଡ଼ିଆ ହୋଇଥିବାରୁ ଏଠାରେ ହିଁ ଅଭ୍ୟାସ ହେବ। ମାର୍ଚ୍ଚ ୨୯ରେ ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣ ଉଦ୍‌ଘାଟନୀ ମ୍ୟାଚ୍‌ରେ ଚେନ୍ନାଇ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବାର କାର୍ଯ୍ୟସୂଚୀ ରହିଛି। ‘ମାର୍ଚ୍ଚ ୧୯ରୁ ସମସ୍ତ ଖେଳାଳିଙ୍କୁ ନେଇ କ୍ୟାମ୍ପ୍‌ ଆରମ୍ଭ ହେବ। ଏଥିରେ ସମସ୍ତ ଖେଳାଳି ଯୋଗଦେବେ। କିନ୍ତୁ ସୁରେଶ ରାଇନା, ଅମ୍ବାତି ରାୟୁଡୁ ଓ କିଛି ସାଥୀ ଖେଳାଳିଙ୍କ ସହ ଧୋନୀ ଦୁଇ ସପ୍ତାହ ପୂର୍ବରୁ ଟ୍ରେନିଂ କରିବେ’ ବୋଲି ଚେନ୍ନାଇ ସିଇଓ କେ.ଏସ୍‌. ବିଶ୍ୱନାଥନ କହିଛନ୍ତି। ପ୍ରକାଶଯୋଗ୍ୟ, ଗତବର୍ଷ ଆଇସିସି ବିଶ୍ୱକପ୍‌ ପରେ ଧୋନୀ କ୍ରିକେଟ୍‌ରୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ରହିଛନ୍ତି। ଏପରି କି ତାଙ୍କ ଅବସର ନେଇ ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା।

Share