ମାର୍ଚ୍ଚ ୩୧ ଯାଏ ଧାନ କିଣା ହେବ, ଯୋଗାଣ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଲେ ବାଚସ୍ପତି

ଭୁବନେଶ୍ୱର,୨୫।୨(ବ୍ୟୁରୋ): ଧାନକିଣାକୁ ନେଇ ଗତ ଦୁଇଦିନ ଧରି ବିଧାନସଭାକୁ ବିରୋଧୀ ଦଳ ଅଚଳ କରି ରଖିଥିଲେ। ବାଚସ୍ପତି ଏହି ସମସ୍ୟାର ସମାଧାନ ପାଇଁ ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକ ପରେ ବିରୋଧୀ ଗୃହରେ ଆଉ କୌଣସି ଗଣ୍ଡଗୋଳ କରି ନ ଥିଲେ । ଗୃହକାର୍ଯ୍ୟ ସ୍ବାଭାବିକ ହୋଇଥିଲା।

ପୂର୍ବାହ୍ନ ୧୧.୩୦ମିନିଟରେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଓ ଭାଜପା ସଦସ୍ୟମାନେ ପୁଣି ହଟ୍ଟଗୋଳ କରିଥିଲେ। ଏହି ଅଚଳାବସ୍ଥା ଦୂର କରିବା ଲାଗି ବାଚସ୍ପତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ, ସିପିଆଇଏମ୍‌ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିଧାୟକ ପ୍ରଣବ ପ୍ରକାଶ ଦାଶ, ଦେବୀ ପ୍ରସାଦ ମିଶ୍ରଙ୍କୁ ସର୍ବଦଳୀୟ ବୈଠକରେ ଯୋଗଦେବାକୁ ବାଚସ୍ପତି ନିମନ୍ତ୍ରଣ କରି ଗୃହକୁ ୧୨.୫୦ ମିନିଟ ଯାଏ ମୁଲତବୀ ଘୋଷଣା କରିଥିଲେ। ୧୨.୫୦ରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। ବିରୋଧୀ ଦଳ ସଦସ୍ୟମାନେ ଆଉ ପୂର୍ବଭଳି ହଙ୍ଗାମା କରି ନ ଥିଲେ। ବାଚସ୍ପତି ଘୋଷଣା କରିଥିଲେ ଯେ ସରକାର ମାର୍ଚ୍ଚ ୩୧ ଯାଏ ଚାଷୀଙ୍କଠାରୁ ଧାନ କିଣିବେ। ଯେଉଁ ଜିଲାରେ ଧାନ ରହିଛି ସେହି ଜିଲାର ବିଧାୟକମାନଙ୍କ ସହ ଆଲୋଚନା କରି ପଦକ୍ଷେପ ନେବେ।

Share