ମାର୍ଚ୍ଚ ୩୧ ସୁଦ୍ଧା ନିଲାମ ହେବ ୨୦ ଖଣି

ଭୁବନେଶ୍ୱର/ଯୋଡ଼ା,୩।୧୨(ବ୍ୟୁରୋ/ଡି.ଏନ୍‌.ଏ. ): ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଲିଜ୍‌ ଅବଧି ଶେଷ ହେଉଥିବା ୨୦ ଖଣିର ପୁନଃ ଟେଣ୍ଡର କରାଯିବ। ଏ ନେଇ ଖଣି ଓ ଇସ୍ପାତ ବିଭାଗ ଯୁଗ୍ମ ସଚିବ ମଞ୍ଜୁଲତା ସ୍ବାଇଁ ସୋମବାର ଖଣି ନିର୍ଦ୍ଦେଶକଙ୍କୁ ଚିଠି (ସଂଖ୍ୟା- ୯୪୯୨/୨।୧୨।୨୦୧୯) ଲେଖିଛନ୍ତି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ନଭେମ୍ବର ୩୦ରେ ଅନୁଷ୍ଠିତ ବୈଷୟିକ ମୂଲ୍ୟାୟନ କମିଟି (ଟିଇସି) ଏବଂ ଉଚ୍ଚ କ୍ଷମତାସମ୍ପନ୍ନ କମିଟି (ଏଚ୍‌ଏଲ୍‌ସି)ରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ୨୦୧୯ ଅକ୍ଟୋବର ୪, ୧୪ ଏବଂ ୧୮ରେ ଡକାଯାଇଥିବା ଟେଣ୍ଡରକୁ ରଦ୍ଦ କରାଯିବ। ଏଥିରେ ଅଂଶଗ୍ରହଣ କରିଥିବା ବିଡରମାନେ ଦେଇଥିବା ବ୍ୟାଙ୍କ ଗ୍ୟାରେଣ୍ଟି ବାବଦ ଅର୍ଥ ସେମାନଙ୍କୁ ଫେରସ୍ତ କରାଯିବ। ଏଥିସହିତ ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଲିଜ୍‌ ଅବଧି ଶେଷ ହେଉଥିବା ୨୦ଟି ଖଣିର ଏକକାଳୀନ ଟେଣ୍ଡର ଡାକିବାକୁ କୁହାଯାଇଛି। ୨୦୧୯ ଅକ୍ଟୋବର ୧୮ ତାରିଖରେ କରାଯାଇଥିବା ବିଜ୍ଞପ୍ତି ଆଧାରରେ ଟେଣ୍ଡର ଆହ୍ବାନ କରାଯିବ। ପ୍ରତ୍ୟେକ ବ୍ଲକର ଟେଣ୍ଡର ଡକ୍ୟୁମେଣ୍ଟ ପାଇଁ ୫ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି। ଯଦି ପୂର୍ବରୁ ସେହି ବିଡର୍‌ ଅମାନତ ରାଶି ଜମା କରିଥିବେ ତେବେ ତାହା ନୂତନ ଟେଣ୍ଡର ଆବେଦନ ସମୟରେ ଆଡ୍‌ଜଷ୍ଟ କରାଯିବ। ପ୍ରତ୍ୟେକ ବିଡର୍‌ ଏକ ନିର୍ଦ୍ଦିଷ୍ଟ ଖଣି ପାଇଁ ଟେଣ୍ଡରରେ ଭାଗ ନେଇପାରିବେ। ଗୋଟିଏ ଖଣି ପାଇଁ ଏକାଧିକ ଆବେଦନ କଲେ ତାହା ଖାରଜ କରାଯିବ। ନୂତନ ଟେଣ୍ଡର ପ୍ରକ୍ରିୟା ଡିସେମ୍ବର ୬ ତାରିଖରୁ ଆରମ୍ଭ ହୋଇ ଫେବୃୟାରୀ ୨୯ ତାରିଖରେ ଶେଷ ହେବ।
ସୂଚନାଯୋଗ୍ୟ ଯେ, ପୂର୍ବରୁ ରାଜ୍ୟ ସରକାର ୧୦ଟି ଖଣି ନିଲାମ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଥିଲେ। ଏଥିପାଇଁ ୧୭୬ଜଣ ବିଡର ଆବେଦନ କରିଥିଲେ। ଏପରିକି ବୈଷୟିକ ମୂଲ୍ୟାୟନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା। ଏଥିରେ ଯୋଗ୍ୟତା ହାସଲ କରିଥିବା ବିଡରମାନଙ୍କ ତାଲିକା ଆସନ୍ତା ୯ ତାରିଖରେ ପ୍ରକାଶ ପାଇବ ବୋଲି ନଭେମ୍ବର ୧୮ରେ ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଥିଲା।

Share