ମାର୍ଶ ବାଦ୍‌, ଅଷ୍ଟ୍ରେଲିଆ ଦଳରେ ହାଣ୍ଡସ୍କମ୍ବ

ଲିଡ୍ସ, ୫।୭- ଟପ୍‌ ଅର୍ଡର ବାମହାତୀ ବ୍ୟାଟ୍ସମ୍ୟାନ ଶନ ମାର୍ଶ ଆହତ ସମସ୍ୟା ଯୋଗୁ ଅଷ୍ଟ୍ରେଲିଆ ବିଶ୍ୱକପ୍‌ ଦଳରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ପିଟର ହାଣ୍ଡସ୍କମ୍ବଙ୍କୁ ଦଳରେ ସାମିଲ କରାଯାଇଛି। ଏ ନେଇ ଅନ୍ତର୍ଜାତୀୟ କ୍ରିକେଟ ବୋର୍ଡ (ଆଇସିସି) ପକ୍ଷରୁ କୁହାଯାଇଛି। ଓଲ୍ଡ ଟ୍ରାଫୋର୍ଡଠାରେ ଗୁରୁବାର ଅଭ୍ୟାସବେଳେ ପାଟ କୁମିନ୍ସଙ୍କ ରାଇଜିଂ ଡିଲେଭରୀ ୩୫ ବର୍ଷୀୟ ମାର୍ଶଙ୍କ ରିଷ୍ଟରେ ବାଜିଥିଲା। ବିଶ୍ୱକପ୍‌ର ଟେକନିକାଲ କମିଟି ମାର୍ଶଙ୍କ ବଦଳ ଖେଳାଳି ଭାବେ ହାଣ୍ଡସ୍କମ୍ବଙ୍କୁ ଅଷ୍ଟ୍ରେଲିଆ ଦଳରେ ସାମିଲ ହେବାକୁ ଅନୁମତି ଦିଆଯାଇଛି ବୋଲି ଆଇସିସି ସ୍ପଷ୍ଟ କରିଛି। ମାର୍ଶଙ୍କ ରିଷ୍ଟ ଫ୍ୟାକଚର ହୋଇଛି। ଏଥିରୁ ମୁକୁଳିବା ଲାଗି ତାଙ୍କୁ ଅସ୍ତ୍ରୋପଚାର କରାଇବାକୁ ପଡ଼ିବ। ଅଲରାଉଣ୍ଡ ଗ୍ଲେନ ମ୍ୟାକ୍ସଓ୍ବେଲଙ୍କ ରିଷ୍ଟରେ ମଧ୍ୟ ଆଘାତ ଲାଗିଛି। ତାଙ୍କର ସ୍କାନ କରାଯାଇସାରିଛି। ସମସ୍ୟା ଗୁରୁତର ନୁହେଁ। ସେ ଶନିବାର ଖେଳାଯିବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଫିଟ୍‌ ହୋଇଯିବେ ଆଶା କରାଯାଉଛି ବୋଲି କୋଚ୍‌ ଜଷ୍ଟିନ ଲାଙ୍ଗର କହିଛନ୍ତି। ୨୮ ବର୍ଷୀୟ ହାଣ୍ଡସ୍କମ୍ବ ୨୧ ଦିନିକିଆ ଖେଳି ଗୋଟିଏ ଶତକ ଓ ୪ ଅର୍ଦ୍ଧଶତକ ଲଗାଇସାରିଛନ୍ତି।

Share