Categories: ଖେଳ

ମାର୍‌କ୍ରାମ, ମଲ୍‌ଡରଙ୍କ ଶତକ

ମହୀଶୂର, ୧୯।୯(ପି.ଟି.)- ଘରୋଇ ଭାରତ-ଏ ବିପକ୍ଷରେ ସ୍ଥାନୀୟ ଶ୍ରୀକାନ୍ତ ଦତ୍ତ ନରସୀମା ରାଜା ଓ୍ବାଡିୟର ଗ୍ରାଉଣ୍ଡରେ ଚାଲିଥିବା ଅନ୍ତିମ ତଥା ୨ୟ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା-ଏ ବ୍ୟାଟିଂରେ ଦୃଢ଼ ଜବାବ ଦେଇଛି। ଭାରତ-ଏ’ର ସ୍କୋର ୪୧୭ ରନ୍‌ ଜବାବରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା-ଏ ଗୁରୁବାର ୩ୟ ଦିବସରେ ପ୍ରଥମ ଇନିଂସରେ ୪୦୦ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଛି। ଦକ୍ଷିଣ ଆଫ୍ରିକା-ଏ ପକ୍ଷରୁ ଅଧିନାୟକ ତଥା ଓପ୍‌ନର ଏଡେନ ମାର୍‌କ୍ରାମ ଓ ମଧ୍ୟକ୍ରମରେ ଓ୍ବିଆନ ମଲଡର ଆକର୍ଷଣୀୟ ଶତକୀୟ ଇନିଂସ ଖେଳି ଦଳକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଦ୍ୱିତୀୟ ଦିବସ ଶେଷସୁଦ୍ଧା ୫ ଉଇକେଟ୍‌ ହରାଇ ୧୫୯ ରନ କରିଥିବା ଦକ୍ଷିଣ ଆଫ୍ରିକା-ଏ ଗୁରୁବାର ପ୍ରଭାବୀ ବ୍ୟାଟିଂ କରିଥିଲା। ବିଶେଷକରି ଅଧିନାୟକ ମାର୍‌କ୍ରାମ ଓ ମଲ୍ଡରଙ୍କ ଇନିଂସ ବେଶ୍‌ ପ୍ରଶଂସନୀୟ ରହିଥିଲା। ପୂର୍ବଦିନର ଅପରାଜିତ ସ୍କୋର ୮୩ ରନ୍‌ରୁ ବ୍ୟାଟିଂ ଆରମ୍ଭ କରିଥିବା ମାର୍‌କ୍ରାମ ୧୬୧ ରନ୍‌ (୨୫୩ ବଲ୍‌, ୨୦ ଚୌକା, ୨ ଛକା)କରି ମହମ୍ମଦ ସିରାଜଙ୍କ ଦ୍ୱାରା କ୍ଲିନ୍‌ବୋଲ୍ଡ ହୋଇଥିଲେ। ସେହିଭଳି ୨୧ ବର୍ଷୀୟ ଡାହାଣହାତୀ ବ୍ୟାଟ୍ସମ୍ୟାନ ମଲ୍‌ଡର ୧୩୧ ରନ୍‌ (୨୩୦ ବଲ୍‌, ୧୭ ଚୌକା, ୧ ଛକା)ର ଅପରାଜିତ ଇନିଂସ ଖେଳିଥିଲେ। ଉଭୟ ମାର୍‌କ୍ରାମ ଓ ମଲ୍‌ଡରଙ୍କ ମଧ୍ୟରେ ୫ମ ଉଇକେଟ୍‌ ଯୋଡ଼ିରେ ୧୫୫ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଭଗୀଦାରି ହୋଇଥିଲା। ଘରୋଇ ଦଳ ପକ୍ଷରୁ କୁଲଦୀପ ଯାଦବ ୪, ଶାହବାଜ ନଦୀମ ୩, ସିରାଜ ୨ ଓ ଶିବମ ଦୁବେ ଗୋଟିଏ ଉଇକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ୧୭ ରନ୍‌ର ଅଗ୍ରଣୀ ଲାଭ କରିଥିବା ରିଦ୍ଧିମାନ ଶାହଙ୍କ ନେତୃତ୍ୱାଧୀନ ଭାରତ-ଏ ଦ୍ୱିତୀୟ ଇନିଂସ ଆରମ୍ଭ କରି ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ୬ ଓଭରରେ କୌଣସି ଉଇକେଟ୍‌ ନ ହରାଇ ୧୪ ରନ ସଂଗ୍ରହ କରିଛି। ଭାରତ-ଏ ଏବେ ମୋଟ୍‌ ଉପରେ ୩୧ ରନ୍‌ରେ ଅଗ୍ରଣୀ ରହିଛି। ଶୁକ୍ରବାର ଅନ୍ତିମ ଦିବସ ହୋଇଥିବାରୁ ମ୍ୟାଚ୍‌ ଡ୍ର’ ରହିବା ଏକପ୍ରକାର ସ୍ପଷ୍ଟ ହୋଇଛି।

Share