ମାଲକାନଗିରିରେ ଅନେକ କୋଲ୍‌କାତା ଫେରନ୍ତା: ବିଭିନ୍ନ ସ୍ଥାନରେ ଚଢ଼ାଉ

ମାଲକାନଗିରି,୧ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଏଯାବତ୍‌ କରୋନା ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି। ତେବେ କୋଲ୍‌କାତା ଫେରନ୍ତାଙ୍କୁ ନେଇ ଏବେ ଜିଲାବାସୀଙ୍କୁ ଭୟ ଘାରିଛି। ସେଠାରୁ ଆସିଥିବା ଅନେକ ଲୋକ ଏବେ ମାଲକାନଗିରିରେ ଲୁଚି ରହିଥିବା ଜିଲା ପ୍ରଶାସନ ଖବର ପାଇଛି। ୪୨ ଜଣ କୋଲ୍‌କାତା ଫେରନ୍ତା ଜିଲାରେ ପ୍ରବେଶ କରିଥିବା ବିଏସ୍‌ଏନ୍‌ଏଲ୍‌ ଟାଓ୍ବାର ସୂତ୍ରରୁ ଜଣାପଡ଼ିଛି। ତେବେ ୨୬ ଜଣ ଲକ୍‌ଡାଉନ ପୂର୍ବରୁ ଜିଲାକୁ ଆସିଥିବାବେଳେ ସେମାନେ ଏ ନେଇ ପ୍ରଶାସନକୁ ଅବଗତ କରାଇବା ସହ ଡାକ୍ତରଖାନାକୁ ଯାଇ ନିଜ ନାମ ପଞ୍ଜୀକରଣ ଓ ସ୍ବାସ୍ଥ୍ୟ ପରୀକ୍ଷା କରାଇଛନ୍ତି। ଏମାନଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ତେବେ ଅନ୍ୟମାନଙ୍କୁ ଠାବ କରିବା ପାଇଁ ଗୁରୁବାର ରାତିରେ ତହସିଲଦାର ଗୁଣନିଧି ନାୟକ, ଥାନା ଆଇଆଇସି ରାମପ୍ରସାଦ ନାଗ, ମାଲକାନଗିରି ବ୍ଲକ୍‌ ଅଧିକାରୀ ଏବଂ ପୋଲିସ ଟିମ୍‌ ସଦରସ୍ଥିତ ୨ଟି ଲଜ୍‌ ଉପରେ ଚଢ଼ାଉ କରିଥିଲେ। କିନ୍ତୁ ସେଠାରେ କେହି ନ ଥିବା ତହସିଲଦାର ସୂଚନା ଦେଇଛନ୍ତି। ତେବେ ବିଭିନ୍ନ ସ୍ଥାନ ଚଢ଼ାଉ କରାଯାଇ ଏମାନଙ୍କୁ ଠାବ କରାଯିବ ବୋଲି ଆଇଆଇସି ନାଗ କହିଛନ୍ତି।