ମାଲକାନଗିରିରେ ବନ୍ୟା ପରିସ୍ଥିତି: ସମୀକ୍ଷା କଲେ ରାଜସ୍ବ ମନ୍ତ୍ରୀ, ଏସଆରସି

ମାଲକାନଗିରି,୩୧ା୭ (ଡି.ଏନ୍‌.ଏ./ସ୍ବ.ପ୍ର.): ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ବୁଧବାର ମାଲକାନଗିରି ଜିଲା ଗସ୍ତ କରି ବନ୍ୟା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି । ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଜିଲାପାଳ ମନୀଷ ଅଗ୍ରୱାଲ ଉଭୟଙ୍କୁ ଜିଲାରେ ବର୍ଷାର ପରିମାଣ ଓ ପରିସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ । ଲଗାଣ ବର୍ଷାରେ କାନ୍ଥ ଭାଙ୍ଗି ପଡ଼ିଆ ବ୍ଲକର ଇଙ୍କିମେଟଲା ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ପରକନପାଲି ଗ୍ରାମର ଜଣେ ପୁରୁଷ ଜମିକୁ କାମ କରିବାକୁ ଯାଇଥିବା ବେଳେ ସାପ କାମୁଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଛି। ଜିଲାର ମାଲକାନଗିରି, କାଲିମେଳା, ମାଥିଲି ଓ ପଡ଼ିଆ ବ୍ଲକରେ ୭ ଗୃହପାଳିତ ପ୍ରାଣୀଙ୍କ ମୃତ୍ୟୁ ହୋଇଛି । ସେହିଭଳି ୫୮ କଚା ଘର ଆଂଶିକ କ୍ଷତି ହୋଇଛି ବୋଲି ଜିଲାପାଳ ସୂଚନା ଦେଇଥିଲେ। ଜିଲାର ଶତକଡ଼ା ୩୦ ପ୍ରତିଶତ ଜମିରେ ଧାନ ବୁଣା କାର୍ଯ୍ୟ ଶେଷ ହୋଇଛି। ଆକଳନ ପରେ କେତେ ପରିମାଣରେ ଫସଲ କ୍ଷତି ହୋଇଛି ଜଣାପଡ଼ିବ ବୋଲି ସେ ପ୍ରକାଶ କରିଥିଲେ। ତେବେ ଏହି ଲଗାଣ ବର୍ଷାରେ ମାଲକାନଗିରି ଜିଲାରେ ବିଶେଷ ଧନଜୀବନ ନଷ୍ଟ କିମ୍ବା କ୍ଷୟକ୍ଷତି ହୋଇନାହିଁ ।ଏଥିପାଇଁ ଜିଲା ପ୍ରଶାସନ ସଜାଗ ଥିଲା। ମୋଟାମୋଟି ଭାବେ ପରିସ୍ଥିତି ଠିକ ରହିଛି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ଜିଲାର ବର୍ଷା କ୍ଷତି ଭରଣା ପାଇଁ ଯାହା କିଛି ଆବଶ୍ୟକ ପଡ଼ିବ ସାହାଯ୍ୟ ଦେବାକୁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ମନ୍ତ୍ରୀ ମାରାଣ୍ଡି କହିଥିଲେ। ଜୁଲାଇ ଶେଷ ସପ୍ତାହରେ ଲଗାଣ ବର୍ଷା ହୋଇଥିବାରୁ ଜିଲାର ତଳିଆ ଅଞ୍ଚଳ ପ୍ରଭାବିତ ହୋଇଛି। ଜିଲାରେ ୯ଟି ନୂତନ ପୋଲ ନିର୍ମାଣ ଏବଂ କେତେକ ସ୍ଥାନରେ ବାତ୍ୟା ଆଶ୍ରୟ ସ୍ଥଳ ପାଇଁ ଜିଲାପାଳ ପ୍ରସ୍ତାବ ଦେଇଛନ୍ତି। ଏହାର ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ ବୋଲି ସ୍ବତନ୍ତ୍ର ରିଲିଫ କମିଶନର ସେଠୀ କହିଛନ୍ତି। ଏହି ସମୀକ୍ଷା ବୈଠକରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଆରକ୍ଷୀ ଅଧୀକ୍ଷକ ଜଗମୋହନ ମୀନା, ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜ ପଣ୍ଡା, ଏସଡିପିଓ ରିଷିକେଶ ଖିଲାରି, ଅତିରିକ୍ତ ଜିଲାପାଳ ବୀରସେନ ପ୍ରଧାନଙ୍କ ସମେତ ସମସ୍ତ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ସମୀକ୍ଷା ବୈଠକ ପରେ ମନ୍ତ୍ରୀ ଓ ସ୍ବତନ୍ତ୍ର ରିଲିଫ କମିଶନର ଆକାଶ ମାର୍ଗରେ କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ । ସୂଚନାଯୋଗ୍ୟ ଯେ, ଏମ.ଭି-୩ସ୍ଥିତ ବିଏସଏଫ କ୍ୟାମ୍ପରେ ହେଲିକଫ୍ଟର ଯୋଗେ ଉଭୟେ ପହଞ୍ଚତ୍ବା ପରେ ମନ୍ତ୍ରୀଙ୍କୁ ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା।