Categories: ରାୟଗଡା

ମାଲକାନଗିରି: କେନ୍ଦୁପତ୍ରକୁ ଭୟ ଫନୀ

ମାଲକାନଗିରି,୧।୫ (ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଗତ ଦୁଇସପ୍ତାହ ହେଲା ସରକାରୀ ଏବଂ ବେସରକାରୀ ସଂସ୍ଥା ଗୁଡିକ ବିଭିନ୍ନ ଅଞ୍ଚଳରୁ କେନ୍ଦୁପତ୍ର ସଂଗ୍ରହ କରିଛନ୍ତି। ବର୍ତ୍ତମାନ ପ୍ରାୟ ୭୦ ପ୍ରତିଶତ କେନ୍ଦୁପତ୍ର ବିଭିନ୍ନ ଫଡିରେ ଖରିଦ କରାଯାଇ ଶୁଖାଯାଇଛି। ଏହି ସମୟରେ ବାତ୍ୟା ଫନୀ ଆସିବା  ସୂଚନା ମିଳିବା ପରେ ଫଡିଗୁଡିକରେ ପଡିଥିବା କେନ୍ଦୁପତ୍ରଗୁଡିକ ତୁରନ୍ତ ଗୋଦାମକୁ ଅଣା ନ ଗଲେ ବର୍ଷା ଯୋଗୁ କେନ୍ଦୁପତ୍ର ନଷ୍ଟ ହେବ।  ଚଳିତବର୍ଷ ଗୋଦାମ ଅଭାବରୁ ଅଧିକ କେନ୍ଦୁପତ୍ର ଖରିଦ ନ କରିବା ପାଇଁ ବନବିଭାଗ ନିଷ୍ପତ୍ତି ନେଇଛି। କାରଣ ଗତବର୍ଷ ଖରିଦ ହୋଇଥିବା କେନ୍ଦୁପତ୍ର ୫୦ ପ୍ରତିଶତ ଏ ପର୍ଯ୍ୟନ୍ତ ବିକ୍ରି ହୋଇପାରିନାହିଁ। ଫଳରେ ଚଳିତବର୍ଷ କେନ୍ଦୁପତ୍ର ରଖିବା ପାଇଁ ଗୋଦାମର ଅଭାବ ଦେଖାଦେଇଛି। ଅନ୍ୟପକ୍ଷରେ ଘରୋଇ ସଂସ୍ଥାଗୁଡିକ ମଧ୍ୟ ଖରିଦ କରିଥିବା କେନ୍ଦୁପତ୍ର କେଉଁଠି ରଖିବେ ସେ ନେଇ ସେମାନେ ଚିନ୍ତାରେ ପଡିଛନ୍ତି।  ଏ ସମ୍ପର୍କରେ ମାଲକାନଗିରି କେନ୍ଦୁପତ୍ର ବନାଞ୍ଚଳ ଅଧିକାରୀ ସୁନନ୍ଦ ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ,  ଚଳିତବର୍ଷ ଖରିଦ କରାଯାଇଥିବା କେନ୍ଦୁପତ୍ରରୁ ୮୦ ପ୍ରତିଶତ ଫଡିରୁ ଗୋଦାମକୁ ଅଣାଯାଇଛି।  ଯାହା କିଛି ଫଡିରେ ଅଛି ସେସବୁ ରଖିବା ଲାଗି ସ୍ଥାନ ବ୍ୟବସ୍ଥା କରି ଦୁଇଦିନ ମଧ୍ୟରେ ଫଡିରୁ ଉଠାଇବା ପାଇଁ ଉଦ୍ୟମ କରୁଛୁ ବୋଲି ପଟ୍ଟନାୟକ କହିଛନ୍ତି।