ମାଲକାନଗିରି ଜିଲା ଚିକିତ୍ସାଳୟ: ସେବା ଛାଡ଼ି ଟିକ୍‌ଟକ୍‌ରେ ମାତୁଛନ୍ତି ନର୍ସ, ଭିଡିଓ ଭାଇରାଲ

ମାଲକାନଗିରି,୨୬।୬(ସ୍ବ.ପ୍ର.): ସରକାରୀ ଡାକ୍ତରଖାନାରେ ନିୟୋଜିତ ଡାକ୍ତର ତଥା ନର୍ସମାନଙ୍କର ରୋଗୀଙ୍କୁ ଅବହେଳାର ଅନେକ ଘଟଣା ସାମ୍ନାକୁ ଆସିଥିବା ବେଳେ ଏବେ ଶିଶୁମାନେ ଏଥିରୁ ବାଦ୍‌ ପଡ଼ୁନାହାନ୍ତି। ଏଭଳି ଏକ ଘଟଣାକ୍ରମରେ ମାଲକାନଗିରି ଜିଲା ଚିକିତ୍ସାଳୟରେ ସ୍ବତନ୍ତ୍ର ନବଜାତ ଶିଶୁ ସୁରକ୍ଷା କକ୍ଷ(ଏସ୍‌ଏନ୍‌ସିୟୁ)ରେ କାର୍ଯ୍ୟରତ ନର୍ସମାନଙ୍କ ଟିକ୍‌ଟକ୍‌ ଭିଡିଓ ଭାଇରାଲ ହେଉଛି।

ବିଶେଷକରି ଏସ୍‌ଏନ୍‌ସିୟୁରେ ଗୁରୁତର ଶିଶୁମାନଙ୍କୁ ୨୪ ଘଣ୍ଟା ନଜରରେ ରଖା ଯାଇ ଚିକିତ୍ସା କରାଯାଇଥାଏ। ମାତ୍ର ଏଠାରେ କାମ କରୁଥିବା ନର୍ସମାନେ ଚିକିତ୍ସା ପରିବର୍ତ୍ତେ ଟିକ୍‌ଟକ୍‌ ଭିଡିଓ କରିବାରେ ମାତିଥିବା ଦେଖିବାକୁ ମିଳିଛି। ଭାଇରାଲ ହେଉଥିବା ଭିଡିଓଗୁଡ଼ିକ ଚିକିତ୍ସାଳୟ ପରିସରରେ ଶୁଟିଂ ହୋଇଛି। ଏକ ଭିଡିଓରେ ଜଣେ ନର୍ସ ନବଜାତ ଶିଶୁକୁ ଧରି ଭିଡିଓ କରିଥିବା ବେଳେ ଅନ୍ୟଗୁଡ଼ିକରେ ନର୍ସମାନେ ନାଚ କରିବା ତଥା ବିଭିନ୍ନ ବଲିଉଡ୍‌ ଡାଇଲଗ୍‌ରେ ଅଭିନୟ କରୁଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ଏହି ଭିଡିଓ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରି ବୁଲୁଛି। କାର୍ଯ୍ୟ ସମୟରେ ନର୍ସମାନଙ୍କ ଏତାଦୃଶ ଅବହେଳା ପ୍ରଦର୍ଶନ ସହ ମନୋରଞ୍ଜନରେ ନିଜକୁ ନିୟୋଜିତ କରିବାକୁ ସାଧାରଣରେ ନିନ୍ଦା କରାଯାଉଛି। ଏ ନେଇ ସର୍ଜରୀ ସ୍ପେଶାଲିଷ୍ଟ ସପନ କୁମାର ଦିଣ୍ଡା କହିଛନ୍ତି, ସେ ଭିଡିଓ ଦେଖି ନାହାନ୍ତି। ଦେଖିବା ପରେ ସିଡିଏମ୍‌ଓଙ୍କୁ ଏ ନେଇ ଜଣାଇବେ।

Share