ଦେଶରେ ଶିଶୁମାନଙ୍କ ସୁରକ୍ଷା, ଯତ୍ନ, ଖାଦ୍ୟପେୟ, ଶିକ୍ଷାଦାନ ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି। ଜିଲାରେ ଶିଶୁମାନଙ୍କ ସୁରକ୍ଷା ପାଇଁ ଚାଇଲ୍ଡଲାଇନ୍, ଶିଶୁ ମଙ୍ଗଳ ସମିତି, ଜିଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ, ସମନ୍ବିତ ଶିଶୁ ବିକାଶ ବିଭାଗ କାର୍ଯ୍ୟ କରୁଛି। ହେଲେ ଏହି ବିଭାଗଗୁଡିକର କାହା ସହିତ କାହାର ସମନ୍ବୟ ନାହିଁ। ବିଭିନ୍ନ ସମୟରେ ଉଦ୍ଧାର ହେଉଥିବା ଶିଶୁମାନେ କେଉଁଠାରେ କେଉଁ ପରିସ୍ଥିତିରେ ଅଛନ୍ତି ତାହାର ତଦାରଖ ହେଉନାହିଁ। ତଥ୍ୟ ଅନୁଯାୟୀ, ଜିଲା ଚାଇଲ୍ଡଲାଇନ ପକ୍ଷରୁ ୨୦୧୭ରୁ ୨୦୧୯ ଜୁନ୍ ମଧ୍ୟରେ ୮୬୧ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇ ଜିଲା ଶିଶୁ ସୁରକ୍ଷା ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇଥିଲା। କାଉନସେଲିଂ ପରେ ସେମାନଙ୍କ ମଧ୍ୟରୁ କେତେଜଣ ୧୮ ବର୍ଷରୁ ଊର୍ଦ୍ଧ୍ୱ ଜଣାପଡିବା ପରେ ତାଙ୍କ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଥିଲା। ଏବେ ସେହି ଯୁବତୀ ଯୁବକମାନେ ନିଜ ଅଞ୍ଚଳରେ ଶିକ୍ଷା ଗ୍ରହଣ କରୁଛନ୍ତି ନା ଡ୍ରପ୍ ଆଉଟ୍ ହୋଇଛନ୍ତି ତାହା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ଯଦି ସେହି ଯୁବତୀଯୁବକମାନେ ଅଳ୍ପ ଶିକ୍ଷିତ ଥିଲେ ସେମାନଙ୍କ ପାଠପଢ଼ା ଦାୟିତ୍ୱ ସରକାର ବହନ କରିବାର ନିୟମ ରହିଛି। ଜିଲା ଶିଶୁ ମଙ୍ଗଳ ସମିତି ଏବଂ ଜିଲା ଶିଶୁ ସୁରକ୍ଷା ସମିତିର ତଥ୍ୟ ଅନୁଯାୟୀ, ୨୦୧୭-୧୮ରେ ୧୧୧ଜଣ ଶିଶୁ ଶ୍ରମିକ ଏବଂ ୨୦୧୮-୧୯ରେ ୬୦ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଯେଉଁମାନେ ଅଳ୍ପ ପାଠ ପଢିଥିଲେ ସେହି ପିଲାଙ୍କୁ ଜିଲାର ବିଭିନ୍ନ ବିଦ୍ୟାଳୟ ଛାତ୍ରାବାସରେ ରଖି ଶିକ୍ଷାଦାନ କରାଯାଉଛି। ଖାଦ୍ୟପେୟ ଦାୟିତ୍ୱ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ କରାଯାଇଛି। ଉଦ୍ଧାର ଶିଶୁଙ୍କ ମଧ୍ୟରୁ ଯେଉଁମାନେ ପାଠ ପଢିନାହାନ୍ତି ସେମାନଙ୍କୁ ତାଙ୍କ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଛି। ହେଲେ ଏବେ ସେମାନେ କ’ଣ କରୁଛନ୍ତି ସେ ଖବର କାହା ପାଖରେ ନାହିଁ। ସେହି ଶିଶୁମାନେ ହୁଏତ ପୁଣି ଥରେ ଶିଶୁଶ୍ରମିକ ଭାବେ କାମ କରିବାକୁ ଜିଲା ବାହାରକୁ ଯାଇଥାଇପାରନ୍ତି, ତା’ର ହିସାବ କାହା ପାଖରେ ନାହିଁ। ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟରୁ ଜଣାପଡିଛି, ଜିଲାରେ ଏଯାଏ ୩୨ହଜାର ୯୨୦ଜଣ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି। ଶିଶୁ ମଙ୍ଗଳ, ଶିଶୁ ସୁରକ୍ଷା ଏବଂ ଶ୍ରମ ବିଭାଗ ଜିଲାର ୧୬ଟି ସ୍ଥାନରେ ଚଢାଉ କରି ୪୨ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଥିବାବେଳେ ଏଥିରେ ସମ୍ପୃକ୍ତ ଦଲାଲ ଏବଂ ସଂସ୍ଥାର ମାଲିକଙ୍କ ନାମରେ ମାମଲା ରୁଜୁ ହୋଇଛି। ଜଣଙ୍କଠାରୁ ୨୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ୧୫ ଜଣଙ୍କୁ ନୋଟିସ ଜାରି କରାଯାଇଛି। ଅନ୍ୟପକ୍ଷେ ଜିଲାର ସ୍ବାଭିମାନ ଅଞ୍ଚଳରେ ଅନେକ ଅଙ୍ଗନଓ୍ବାଡି କେନ୍ଦ୍ରରେ ୦ ରୁ ୫ ବର୍ଷର ଶିଶୁମାନଙ୍କୁ ପୁଷ୍ଟିକର ଖାଦ୍ୟ ମିଳୁନାହିଁ। କେନ୍ଦ୍ରଗୁଡିକ ବନ୍ଦ ଥିବା ନେଇ ଗତ ୨୬ ତାରିଖରେ ୪ଟି ପଞ୍ଚାୟତର ଲୋକେ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ମାଲକାନଗିରି ଜିଲା ଶିଶୁ ଗୃହରେ ଏବେ ୪୮ ଜଣ ଅନାଥ ଝିଅ ପୁଅ ରହୁଛନ୍ତି। ସେମାନଙ୍କ ପାଇଁ ଏପର୍ଯ୍ୟନ୍ତ ଜିଲା ପ୍ରଶାସନ କିମ୍ବା ରାଜ୍ୟ ସରକାର ଖାଦ୍ୟପେୟ, ପୋଷାକ, ପାଠ୍ୟ ପୁସ୍ତକ ଆଦି ଯୋଗାଇ ନାହାନ୍ତି। ସମ୍ପୃକ୍ତ ସଂସ୍ଥା ନିଜସ୍ବ ଅର୍ଥ ଏବଂ ଧାର କରଜ କରି ଏହି ପିଲାମାନଙ୍କୁ ଚଳାଉଛନ୍ତି। ଏଥିରୁ ସ୍ପଷ୍ଟ ଯେ, ସରକାରଙ୍କ ଶିଶୁ ସୁରକ୍ଷା ଓ ଶିଶୁ ଶ୍ରମିକ ଉଦ୍ଧାର ଯୋଜନା ପ୍ରହସନ ପାଲଟିଛି।
– ଦୁର୍ଯ୍ୟୋଧନ ପାତ୍ର