ମାଲକାନଗିରି: ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ; ଦୁଇ ଦିନରେ ତିନିକୁ ବଢିଲା ସଂଖ୍ୟା

କାଲିମେଳା/ମାଲକାନଗିରି,୨୧ା୫ (ଡି.ଏନ୍‌.ଏ.)-ମାଲକାନଗିରି ଜିଲାରେ ବୁଧବାର ମାଲାକନଗିରି ଜିଲା କାଲିମେଳା ବ୍ଲକ ଏମ୍‌ଭି-୭୨ ଅଞ୍ଚଳରୁ ୨ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଗୁରୁବାର ପୁଣି ସେହି ଅଞ୍ଚଳରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଭୁବନେଶ୍ୱରସ୍ଥିତ କୋଭିଡ୍‌-୧୯ ହସ୍‌ପିଟାଲକୁ ପଠାଯାଇଛି। ବୁଧବାର ଚିହ୍ନଟ ବ୍ୟକ୍ତିଙ୍କୁ ମଧ୍ୟ ଭୁବନେଶ୍ୱର ପଠାଇ ଦିଆଯାଇଥିଲା। ଏହି ଆକ୍ରାନ୍ତମାନେ ଏମ୍‌ଭି-୭୨ ସଙ୍ଗରୋଧ କେନ୍ଦ୍ରରେ ଥିଲେ। ସେମାନଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ପ୍ରଥମେ ୨ ଜଣଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଗୁରୁବାର ଆଉ ଜଣକ ରିପୋର୍ଟ ପଜିଟିଭ ଆସିଛି। ଏହି ୨ ଦିନର ଚିହ୍ନଟ ଆକ୍ରାନ୍ତମାନେ ସମସ୍ତେ ଟିଗଲ ପଞ୍ଚାୟତର ଏକ ଗ୍ରାମର ବୋଲି ସୂଚନା ମିଳିବା ପରେ ସୁରକ୍ଷା ଦୃଷ୍ଟିରୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଗ୍ରାମକୁ ଟିଗଲ ସରପଞ୍ଚ ବଜା ମାଡକାମି ସଟଡାଉନ ଘୋଷଣା କରିଛନ୍ତି। ଗୁରୁବାର ସକାଳୁ ଗ୍ରାମର ଆଶା ,ଅଙ୍ଗନୱାଡିକର୍ମୀ,ଏଏନଏମଙ୍କୁ ନେଇ ତିନିଜଣିଆ ଟିମ୍‌ ଗଠନ କରାଯାଇଛି। ସେମାନେ ଗ୍ରାମରେ ଥିବା ୧୮୦ଟି ଘରକୁ ଯାଇ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିବା ସହ ପଞ୍ଜୀକରଣ କରିଛନ୍ତି ା ଗ୍ରାମରେ ସାନିଟାଇଜର ଛିଞ୍ଚନ କରାଯିବା ସହ ପରିମଳ ବ୍ୟବସ୍ଥାର ସୁଧାର ଅଣାଯାଉଛି ା ସିଡିଏମଓ ଏବଂ ଏଡିଏମ ବୀରସେନ ପ୍ରଧାନ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି ା ଗ୍ରାମରେ କାହାକୁ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି ା ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଣିବା ପାଇଁ ପରିବାରର ମାତ୍ର ଜଣେ ବାହାରକୁ ଯାଇ ସାମଗ୍ରୀ ଆଣିବାକୁ କୁହାଯାଇଛି ା