ମାଲକାନଗିରି ବ୍ଲକସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ: ଜିଲାର ବିକାଶରେ ଗଣପର୍ବର ଭୂମିକା ଗୁରୁତ୍ୱପୂର୍ଣ୍ଣ

ମାଲକାନଗିରି,୫ା୨(ଡି.ଏନ.ଏ.): ମାଲକାନଗିରି ଜିଲା ସଦର ମହକୁମାସ୍ଥିତ ପଞ୍ଚାୟତ ସମିତି ତରଫରୁ ବୁଧବାର ବ୍ଲକସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ଅନୁଷ୍ଠିତ ହୋଇଛି। ପୂର୍ବାହ୍ନରେ ନିକଟସ୍ଥ ସତୀଗୁଡା ଜଳଭଣ୍ଡାରର ଚମ୍ପାଖାରୀ ଗ୍ରାମ ଦୁର୍ଗା ମନ୍ଦିର ଘାଟରୁ ପବିତ୍ର ଜଳ ସଂଗ୍ରହ କରାଯାଇଥିଲା। ଶତାଧିକ ମହିଳା ପୁରୁଷ ଜଳକଳସକୁ ଶୋଭାଯାତ୍ରାରେ ଆଣି ବ୍ଲକ ପଡିଆ ମଣ୍ଡପରେ ସ୍ଥାପନ କରିଥିଲେ। ପୂର୍ବାହ୍ନରେ ଆୟୋଜିତ ସଭାରେ ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ନାୟକଙ୍କ ସଭାପତିତ୍ୱ କରିଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି, ସମ୍ମାନିତ ଅତିଥି ରୂପେ ଜିଲା ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି, ମାଲକାନଗିରି ବିଧାୟକ ଆଦିତ୍ୟ ମାଢି, ଅତିରିକ୍ତ ଜିଲାପାଳ ବୀରସେନ ପ୍ରଧାନ, ଉପଜିଲାପାଳ ରାମେଶ୍ୱର ପ୍ରଧାନ, ତହସିଲ୍‌ଦାର ଗୁଣନିଧି ନାୟକ ଉପସ୍ଥିତ ଥିଲେ। ଦୀର୍ଘ ୧୬ ବର୍ଷ ହେଲା ମାଲ୍ୟବନ୍ତ ମହୋତ୍ସବ ଚାଲିଛି। ଜିଲାବାସୀଙ୍କ ମଧ୍ୟରେ ଭାଇଚାରା, କଳା ସଂସ୍କୃତିର ପୁନରୁଦ୍ଧାର ଏବଂ ଜିଲାର ବିକାଶ ପାଇଁ ଏହି ଗଣପର୍ବର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏହି ଉତ୍ସବ ମାଧ୍ୟମରେ ଜନସାଧାରଣ, ପ୍ରଶାସନ ଓ ଜନ ପ୍ରତିନିଧି ଏକ ହୋଇ ଭାବର ଆଦାନ ପ୍ରଦାନ ସହ ଜିଲାକୁ ଗୋଟିଏ ଡୋରିରେ ବାନ୍ଧି ରଖିବାର ସୁଯୋଗ ପାଇଥାନ୍ତି। ଏବେ ବିକାଶର ସୂର୍ଯ୍ୟ କିରଣ ଜିଲାରେ ଶାନ୍ତି ଫେରାଇ ଆଣିବାରେ ସକ୍ଷମ ହୋଇଛି ବୋଲି ଅତିଥିମାନେ ପ୍ରକାଶ କରିଥିଲେ। ପରେ ନୃତ୍ୟ ଗୀତ ସହ ସିଙ୍ଗବାଦ, ଢେମ୍‌ସା ପରିବେଷଣ ହୋଇଥିଲା। ସୂଚନାଯୋଗ୍ୟ ଯେ, ଗୁରୁବାର ଜିଲାସ୍ତରୀୟ ନୌକା ପ୍ରତିଯୋଗିତା ଅନୁଷ୍ଠିତ ହେବ। ପୂର୍ବରୁ ମୋଟୁ ମୁର୍ଗି ପଏଣ୍ଟର ତ୍ରିବେଣୀ ସଙ୍ଗମ ଘାଟରୁ ଜଳ ସଂଗ୍ରହ ହୋଇ ଏହାକୁ ଆଣି ମାଲକାନଗିରି ଜଗନ୍ନାଥ ମନ୍ଦିରରେ ରଖାଯାଇଛି। ଏହି ଜଳକଳସଗୁଡିକୁ ୭ରେ ଜଗନ୍ନାଥ ମନ୍ଦିରରୁ ଏକ ଶୋଭାଯାତ୍ରାରେ ମୁଖ୍ୟମଣ୍ଡପକୁ ନିଆଯିବ। ସେଠାରେ ୩ଦିନ ଧରି ଜିଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ହେବ। ଆଜିର କାର୍ଯ୍ୟକ୍ରମରେ ମାଲକାନଗିରି ବ୍ଲକର ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟାସଭ୍ୟ, ଜିଲା ପରିଷଦ ସଭ୍ୟାସଭ୍ୟାମାନେ ଅଂଶଗ୍ରହଣ କରିଥିଲେ।