ମାଲଗୋଦାମରେ ଜିଲା ଯୋଗାଣ ବିଭାଗର ଚଢ଼ାଉ: ପିଆଜ ୭୦, ଆଳୁ ୨୦ଟଙ୍କାରେ ବିକ୍ରି ପାଇଁ ତାଗିଦ

କଟକ ଅଫିସ,୨୮ା୧୨: କଟକ ଜିଲା ଯୋଗାଣ ବିଭାଗ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ କଟକ ମାଲଗୋଦାମ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଜିଲା ଯୋଗାଣ ବିଭାଗ ଅଧିକାରୀ ଅମର କୁମାର ମହାପାତ୍ରଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିଲା। ଏହି ସମୟରେ ହୋଲସେଲର ବ୍ୟବସାୟୀମାନଙ୍କୁ ପିଆଜ କିଲୋ ପିଛା ୭୦ଟଙ୍କା ଓ ଆଳୁ କିଲୋ ୨୦ଟଙ୍କାରେ ବିକ୍ରୟ କରିବାକୁ ଯୋଗାଣ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଖୁଚୁରା ବ୍ୟବସାୟୀମାନଙ୍କୁ ପିଆଜ କିଲୋ ପିଛା ସର୍ବାଧିକ ୮୦ ଏବଂ ଆଳୁ କିଲୋ ୨୩ରୁ ୨୫ଟଙ୍କା ମଧ୍ୟରେ ବିକ୍ରୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶ ଅବମାନନା କଲେ କିମ୍ବା ଅଭିଯୋଗ ଆସିଲେ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯୋଗାଣ ଅଧିକାରୀ ମହାପାତ୍ର ତାଗିଦ କରିଛନ୍ତି। ପ୍ରକାଶ ଥାଉ କି, ବିଗତ କିଛି ଦିନ ହେବ ପିଆଜ ଦର ଆକାଶ ଛୁଆଁ ହୋଇଥିବାବେଳେ ଏବେ ଆଳୁ ଦର ମଧ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି। ଖୋଲା ବଜାରରେ ପିଆଜ କିଲୋ ୧୨୦ରୁ ୧୩୦ଟଙ୍କା ପର୍ଯ୍ୟନ୍ତ ବିକ୍ରୟ କରାଯାଉଥିବାବେଳେ ଆଳୁ କିଲୋ ୩୦ଟଙ୍କା ଛୁଇଁଛି । ଆଳୁ ଓ ପିଆଜକୁ ନେଇ ସାଧାରଣ ଜନତା ଚିନ୍ତାରେ ପଡ଼ିଥିବାବେଳେ ଯୋଗାଣ ବିଭାଗ ପକ୍ଷରୁ ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

Share