Categories: ମେଟ୍ରୋ

ମାଲିକଙ୍କ ଏଟିଏମରୁ ଟଙ୍କା ଚୋରି: ୨ ଗିରଫ, ଲକ୍ଷେ ୬୪ହଜାର ଟଙ୍କା ଉଦ୍ଧାର

କଣ୍ଟାପଡ଼ା,୩୧ା୩(ଡି.ଏନ୍‌.ଏ)- ମାଲିକଙ୍କ ଏଟିଏମକୁ ବ୍ୟବହାର କରି ଲକ୍ଷାଧିକ ଟଙ୍କା ଚୋରି କରିବା ଅଭିଯୋଗରେ ଓଲଟପୁର ଥାନା ପୋଲିସ ୨ଜଣଙ୍କୁ ଗିରଫକରି ମଙ୍ଗଳବାର କୋର୍ଟଚାଲାଣ କରିଛି। ସେମାନେ ହେଲେ କଣ୍ଟାପଡ଼ା ଗ୍ରାମର ଭଗବାନ ରାଉତରାୟ(୨୮) ଓ ଜିତେନ୍ଦ୍ର ବାରିକ(୨୦)। ପୋଲିସ ସେମାନଙ୍କଠାରୁ ୧,୬୪,୨୫୦ଟଙ୍କା ଉଦ୍ଧାର କରିଥିବାବେଳେ ବାକି ଟଙ୍କା ମିଳି ନ ଥିବା ଜଣାପଡ଼ିଛି। ଏ ନେଇ ପୋଲିସ ନଂ. ୩୫/୨୦ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ପୋଲିସ ସୂତ୍ରରୁ ପ୍ରକାଶ, ଏହି ଥାନା ଅନ୍ତର୍ଗତ କୂଅଁରପୁର ଗ୍ରାମର ପ୍ରତାପ ଆଚାର୍ଯ୍ୟଙ୍କର କାର ଡ୍ରାଇଭର ଭାବେ ଭଗବାନ ଗତ ୮ମାସ ହେଲା କାମ କରୁଥିଲେ। ଟଙ୍କା ଆବଶ୍ୟକ ଥିବାରୁ ଗତ ୨୯ ତାରିଖ ସକାଳେ ଭଗବାନ ପ୍ରତାପଙ୍କୁ ୨୦୦୦ ଟଙ୍କା ମାଗିଥିଲେ। ପାଖରେ ଟଙ୍କା ନ ଥିବାରୁ ପ୍ରତାପ ତାଙ୍କ କମ୍ପାନୀର ଏଟିଏମ କାର୍ଡ ଓ ଏହାର ପାସୱାର୍ଡ ଦେଇ ଟଙ୍କା ଉଠାଇ ନେବାପାଇଁ ଭଗବାନଙ୍କୁ କହିଥିଲେ। ସେହିଦିନ ୧୧ଟା ପରଠାରୁ ଭଗବାନ ମୋବାଇଲର ସୁଇଚ୍‌ଅଫ କରି ଆଉ ଧରାଛୁଅଁା ଦେଇନଥିଲେ। ୩୦ ତାରିଖ ଅପରାହ୍ନ ୪ଟାରେ ଉକ୍ତ ଆକାଉଣ୍ଟରେ ଥିବା ୧,୭୩,୯୦୦ ଟଙ୍କା ଉଠିଥିବା ସମ୍ପର୍କରେ ପ୍ରତାପଙ୍କ ମୋବାଇଲକୁ ମେସେଜ ଆସିଥିଲା। ପ୍ରତାପ ସଙ୍ଗେସଙ୍ଗେ ଖୋଜାଖୋଜି କରିବାପରେ ଭଗବାନ ଓ ତା’ର ସାଙ୍ଗ ଜିତେନ୍ଦ୍ରଙ୍କୁ କଣ୍ଟାପଡ଼ା ନିକଟସ୍ଥ ବଟଗାଦୀ ନିକଟରେ ପାଇଥିଲେ। ଘଟଣା ସମ୍ପର୍କରେ ପଚାରିବାରୁ ସେମାନେ ତାଙ୍କୁ ଧମକଚମକ ଦେଇଥିଲେ। ପ୍ରତାପ ଏ ସମ୍ପର୍କରେ ଓଲଟପୁର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଉଭୟଙ୍କୁ ଥାନାକୁ ଆଣି ପଚରାଉଚୁରା କରି ଟଙ୍କା ଉଦ୍ଧାର କରିଥିଲା।

Share