ମାଲିକର ବଇରି ସାଜିଲେ କର୍ମଚାରୀ: ଭୁଜାଲି ଦେଖାଇ ୫ ଲକ୍ଷର ସାମଗ୍ରୀ ନେଇଗଲେ

ପୁରୁଣା ଭୁବନେଶ୍ୱର,୨।୩ (ଡି.ଏନ.ଏ.): ମାତ୍ର ୩ ମାସ ମାଲିକ ପାଖରେ କାମ କରି ରାତାରାତି ବଡ ଲୋକ ହେବାର ସ୍ବପ୍ନ ଦେଖିଥିଲେ ଜଣେ ଯୁବକ। ଯୁବକ ଜଣକ କାମ କରୁଥିବା ମାଲିକ ବଇରି ସାଜି ଦୋକାନରୁ ୫ ଲକ୍ଷ ଟଙ୍କାର ଜିନିଷ ନେଇ ପଳାଇଛନ୍ତି। ଘଟଣା ଘଟିଛି ଏୟାରପୋର୍ଟ ଥାନା ଅଧୀନ ପୋଖରୀପୁଟ ଅଞ୍ଚଳରେ।
ଅଭିଯୋଗ ମୁତାବକ, ଏଠାରେ ଜିତେନ୍ଦ୍ର କୁମାର ନାୟକ ଲାଇଟ ଆଣ୍ଡ ସାଉଣ୍ଡ ଦୋକାନ କରିଥିଲେ। ୩ ମାସ ପୂର୍ବେ ସେ ଜଣେ ଯୁବକଙ୍କୁ ଏହି କାମରେ ରଖିଥିଲେ। ଗତ ୨୮ ତାରିଖ ସନ୍ଧ୍ୟାରେ ଯୁବକ ଜଣକ ଜନତା ମଇଦାନଠାରେ ପହଞ୍ଚତ୍ ଜିତେନ୍ଦ୍ରଙ୍କ ଭଣଜା ସାଗର ବେହେରାଙ୍କୁ ଭୁଜାଲି ଦେଖାଇ ଦୋକାନ ଚାବି ଏବଂ ତାଙ୍କର ବାଇକ୍‌ ଜୋରଜବରଦସ୍ତ ଉଠାଇ ନେଇଥିଲେ। ସେହି ରାତିରେ ଦୋକାନରୁ ଡିଜେ ସାଉଣ୍ଡର ସରଞ୍ଜାମ ପୋପ ମେଶିନ, ବକ୍ସଟପ, କଡ, ହାଲୋଜେନ ଆଦି ପ୍ରାୟ ୫ ଲକ୍ଷ ଟଙ୍କାର ଆସବାବପତ୍ର ନେଇ ଫେରାର ହୋଇଯାଇଥିଲେ। ଚୋରି ସମ୍ପର୍କରେ ଜିତେନ୍ଦ୍ର ଶନିବାର ବୁଝାଶୁଝା କରିଥିଲେ। ସେ ନିରାଶ ହୋଇ ରବିବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ଅନୁସନ୍ଧାନ ଜାରି ରଖିଥିବା ଏୟାରପୋର୍ଟ ଥାନା ଅଧିକାରୀ ଉମାକାନ୍ତ ପ୍ରଧାନ ସୂଚନା ଦେଇଛନ୍ତି।

Share