ମାଲିକ ନୁହେଁ, ଅତିଥି ହୁଅ

ଏବେ ସକାଳୁ ସକାଳୁ ପକ୍ଷୀଙ୍କ କଳରବ ମନକୁ ପୁଲକିତ କରୁଛି। ଘର ଆଖପାଖରେ ଥିବା ଛୋଟବଡ ବୃକ୍ଷ ଡାଳରେ, ଭୂମି ଉପରେ ରଙ୍ଗବେରଙ୍ଗର ଅନେକ ପ୍ରଜାତିର ପକ୍ଷୀ ଦେଖି ମନ ଉଲ୍ଲସିତ ହୋଇଉଠୁଛି। ପ୍ରଶ୍ନ ଉଠେ- ଆମ ଚତୁଃପାର୍ଶ୍ୱରେ ଏତେସବୁ ପକ୍ଷୀ ରୁହନ୍ତି? ସେମାନଙ୍କୁ ଆଖି ପୂରାଇ କେବେ ଦେଖିଥିବା ମନେ ପଡେନାହିଁ। ପକ୍ଷୀଙ୍କ ସୁମଧୁର କାକଳିରେ ଏବେ ଆରମ୍ଭ ହେଉଛି ପ୍ରତିଟି ସକାଳ। କୋଇଲିର କୁହୁ କୁହୁ ତାନ ସ୍ମରଣ କରାଇଦେଉଛି ଋତୁରାଜ ବସନ୍ତର ଉପସ୍ଥିତି। ତେବେ ହଠାତ୍‌ ପ୍ରକୃତିର ଏ ପରିବର୍ତ୍ତନ କାହିଁକି?
ପ୍ରକୃତିର ସର୍ବଶ୍ରେଷ୍ଠ ଜୀବ ବୋଲି କ’ଣ କମ୍‌ ଗର୍ବ ଓ ଅହଂକାର କି ମଣିଷର। ମଣିଷଠାରେ ଈଶ୍ୱର ଚେତନା ଭରିଦେଇଛନ୍ତି ବୋଲି କ’ଣ କମ୍‌ ଔଦ୍ଧତ୍ୟ କି ତା’ଠାରେ। ଗର୍ବ ଓ ଅଭିମାନ ନ ହେବ ବା କେମିତି। ନିଜର ବିଦ୍ୟା, ବୁଦ୍ଧି ଓ ଚତୁର ପଣରେ ତ ସେ ସଭିଙ୍କ ଆଗରେ। ଜଳ, ସ୍ଥଳ ଓ ଆକାଶ ସବୁଠାରେ ତା’ର ଆଧିପତ୍ୟ। ବିଜ୍ଞାନକୁ ଆୟୁଧ କରି ନିଜକୁ ଅତିମାନବ ବୋଲାଇ ସାରିଛି। ସୃଷ୍ଟି, ସ୍ଥିତି ଓ ବିଲୟର ଜ୍ଞାନ ତା’ ପାଖରେ ନିହିତ। ସର୍ବୋତ୍ତମର ବଞ୍ଚତ୍ବାର ଅଧିକାର ନ୍ୟାୟରେ ସେ ଅନ୍ୟ ଜୀବନମାନଙ୍କୁ ଇତର ଭାବି ନେଇସାରିଛି ଓ ସେମାନଙ୍କର ସର୍ବନାଶର ଯୋଜନା ପ୍ରସ୍ତୁତ କରିସାରିଛି। କିଛି ପଶୁପକ୍ଷୀଙ୍କ ପ୍ରତି ଶେଷ ମୁହୂର୍ତ୍ତରେ ଦୟାଭାବ ଦେଖାଇ ସେମାନଙ୍କ କିଛି ନମୁନାକୁ ଚିଡ଼ିଆଖାନାରେ ରଖିଛି ଭବିଷ୍ୟତ ବଂଶଧରଙ୍କ ଅବସର ବିନୋଦନ ଓ ମନୋରଞ୍ଜନ ପାଇଁ। ଅଣୁ-ପଣମାଣୁକୁ ତର୍ଜମା କରି ସମୂହ ଧ୍ୱଂସର ଚାବିକାଠି ରଖିପାରିଛି ପକେଟ୍‌ରେ। ମହାକାଶକୁ ଖେଦି ଗ୍ରହ ଉପଗ୍ରହରେ ନିଜର ସ୍ଥିତି ଜାହିରି କରିଛି। ଧନ, ବଳ, କ୍ଷମତା ଓ ବୁଦ୍ଧିର ପ୍ରୟୋଗରେ ବିଶ୍ୱ ବ୍ରହ୍ମାଣ୍ଡର ଅଧିକାରୀ ହେବା ସହ ନିଜର ଶ୍ରେଷ୍ଠତାକୁ ପ୍ରତିପାଦିତ କରିଛି ଓ ନିଜ ଟିପ ଆଗରେ ବିଶ୍ୱବ୍ରହ୍ମାଣ୍ଡକୁ ସମାହିତ କରିଛି। ତେବେ ସର୍ବଶକ୍ତିମାନ ବୋଲାଉଥିବା ଚତୁର ମଣିଷ ହଠାତ୍‌ ନିଜର ଅସହାୟତା ପ୍ରଦର୍ଶନ କରୁଛି କାହିଁକି? ଏକ ସୂକ୍ଷ୍ମାତିସୂକ୍ଷ୍ମ ଅଦୃଶ୍ୟ ଭୂତାଣୁ ଆଗରେ ମହାପରାକ୍ରମୀ ମଣିଷ ଏତେ ଭିତତ୍ରସ୍ତ ଓ କାକୁସ୍ଥ କାହିଁକି? କାହିଁକି ସେ ଆଜି ଆତଙ୍କିତ ଓ ସ୍ତବ୍‌ଧ। ସତରେ କ’ଣ ପ୍ରକୃତିର ପ୍ରକୋପ ଆଗରେ ମଣିଷର ଜ୍ଞାନ, ବିଜ୍ଞାନ, କ୍ଷମତା, ଅର୍ଥ ସବୁକିଛି ତୁଚ୍ଛ ଓ ମୂଲ୍ୟହୀନ।
ଏକ କ୍ଷୁଦ୍ରାତିକ୍ଷୁଦ୍ର ଭୂତାଣୁ କରୋନା ଆଗରେ ମଣିଷର ସାମ୍ପତ୍ରିକ ଅସହାୟତାକୁ ଦେଖିଲେ ମନେହୁଏ ସତେ ଯେମିତି ପ୍ରକୃତି ସବୁ କିଛି ନିଜ ଅକ୍ତିଆରକୁ ନେଇ ଆସିଛି। ନିଃଶବ୍ଦେ ପ୍ରକୃତି ଘୋଷଣା କରୁଛି ଯେ, ସେ ହିଁ ସର୍ବଶକ୍ତିମାନ ଓ ସକଳ ଶକ୍ତିର ଆଧାର। ସମସ୍ତ ଜୀବନ ନିମିତ୍ତ ମାତ୍ର। ପ୍ରକୃତି ହିଁ ଆଶ୍ରୟଦାତା ଓ ଅନ୍ୟ ସବୁ ଜୀବଜଗତ ଆଶ୍ରୀତ। ପ୍ରକୃତିକୁ ହତାଦର, ଅନାଦର ଓ ଯାତନାର ପ୍ରତିଫଳନର ଏହା ହେଉଛି ଏକ ଝଲକମାତ୍ର। ମଣିଷକୁ ସତେ ଯେମିତି ସତର୍କ କରାଇ କହୁଛି- ହେ ଆତ୍ମଗର୍ବୀ ମଣିଷ। ବେଳ ହୁଁ ସୁଧୁରିଯାଅ। ନ ହେଲେ ଆଗକୁ ବିପର୍ଯ୍ୟୟର ସାମ୍ନା କରିବ। ପ୍ରାକୃତିକ ବିପର୍ଯ୍ୟୟ ଓ ବିଭୀଷିକାରେ ଯୋଡ଼ି ହୋଇଗଲା ଗଣ ସଂହାରର ଆଉ ଏକ ଅସୁର ପର୍ବ ‘ଭୂତାଣୁ ସଂକ୍ରମଣ’। ପ୍ରକୃତି ଆଉ କେତେକ ସହିବ ଏ ମଣିଷର କୃତଜ୍ଞତା, ବର୍ବରତା ଓ ନିର୍ଦ୍ଦୟତା। ସହିବାର ସୀମା ପାର ହେଲେ ଯେ କେହି ପ୍ରତିକ୍ରିୟାଶୀଳ ହେବା ତ ପ୍ରକୃତିର ନିୟମ। ସେହି ନ୍ୟାୟରେ ପ୍ରକୃତି ତ ଆଜି କଡ଼ ଲେଉଟାଉଛି। ପ୍ରକୃତିକୁ ପ୍ରତିରୋଧ କରିବାକୁ ସବୁଶକ୍ତି ଖଟାଇ ମଣିଷ ଆଜି ଲହୁଲୁହାଣ। ଅନନ୍ୟୋପାୟ ହୋଇ ଶେଷରେ କରିଛି ଆତ୍ମଗୋପନ। ଭୂତାଣୁ ଭୟରେ ଲୁଚି ରହୁଛି ଘରର ଚାରିକାନ୍ଥର ବେଷ୍ଟନୀରେ। କେଉଁ ଶ୍ରେଷ୍ଠତା ଆଉ ରହିଲା ମଣିଷ ପାଖରେ। ସେ ଏବେ ପାଲଟିଛି ଅସ୍ପୃଶ୍ୟ ଓ ଅଛୁଅଁା। ଜାତି, ଧର୍ମ, ବର୍ଣ୍ଣ ଓ ଲିଙ୍ଗ ଭିତରେ ସମାଜରେ ଛୁଅଁା-ଅଛୁଅଁାର ଯେଉଁ ବିଷ ବଳୟ ସୃଷ୍ଟି କରିଥିଲା ସେହି ବିଷ ବଳୟରେ ସେ ଆଜି ଆକ୍ତାମାକ୍ତା। ବାଛି ବାଛି କରି ମଣିଷକୁ ଚୟନ କରିିଛି ଭୂତାଣୁ। ନିଜର ବାହକ ସଜାଇଛି ଶ୍ରେଷ୍ଠ ଜୀବନ ମଣିଷକୁ। ସମଗ୍ର ଜୀବଜଗତରେ ଏକ ଘରିକିଆ ହୋଇଯାଇଛି ସ୍ବାର୍ଥପର ମଣିଷ। ଭୂତାଣୁ କବ୍‌ଜାରୁ ରକ୍ଷା କରିପାରୁ ନାହିଁ ନିଜକୁ। ସବୁ ଜ୍ଞାନ, ବୁଦ୍ଧି ଓ ଚତୁରତା ନିଷ୍ଫଳ ହୋଇଛି ପ୍ରକୃତି ସୃଷ୍ଟ ଏହି ଅଦୃଶ୍ୟ ଭୂତାଣୁ ଆଗରେ। ରାସ୍ତାଘାଟ ଶୂନ୍‌ଶାନ୍‌। ବଜାର ହାଟ ଜନଶୂନ୍ୟ। ଯାନ-ବାହନ ଅନାବଶ୍ୟକ। ଆଜି ନୀରବ ଓ ନିଃଶବ୍ଦ। ନା କଳକାରଖାନା ଯୋଗୁ ଧୂମାୟିତ ହେଉଛି ଆକାଶ ନା ଗାଡ଼ି-ମୋଟରର ଘଁ-ଘଁାରେ ପ୍ରଦୂଷିତ ହେଉଛି ଶବ୍ଦ। ଏବେ ବର୍ଜ୍ୟ ଜଳରେ ପ୍ରଦୂଷିତ ହେଉନି ପୁଣ୍ୟତୋୟା ନଦୀର ଅମୃତଧାରା। ପ୍ରକୃତି ଯେମିତି ଶାନ୍ତିରେ ନିଃଶ୍ୱାସ ନେଉଛି ଅନେକ ନିର୍ଯାତିତ ଦିନର ଅବଧି ପରେ।
ମଣିଷ ମୃତ୍ୟୁଦୂତ ପାଲଟିଛି ମଣିଷ ପାଇଁ। ଅଦୃଶ୍ୟ ଭୂତାଣୁ ଯେପରି ପାଗଳ ପରି ଘୂରିବୁଲୁଛି ମଣିଷ ଶରୀର ସନ୍ଧାନରେ। ତା’ର ଚିର ଈପ୍‌ସିତ ଲକ୍ଷ୍ୟ ମଣିଷ। ସେଥିପାଇଁ ମଣିଷ ଏବେ ମଣିଷର ଶତ୍ରୁ। ପାରସ୍ପରିକ ଦୂରତା ଓ ସଙ୍ଗରୋଧ ହୋଇଛି ତା’ ପାଇଁ ମହା ମୃତ୍ୟୁଞ୍ଜୟ ମନ୍ତ୍ର। ଜିଇବାର ଏକମାତ୍ର ଭରସା ଅବିଶ୍ୱସନୀୟତାର ବଳୟରେ ବଞ୍ଚୁଛି ମଣିଷ। ଅନ୍ୟକୁ ଭରସା କରିବା ତ ଦୂରର କଥା, ନିଜ ହାତ, ନାକ, ପାଟି ଓ ଆଖିକୁ ବି ସେ ଆଉ ବିଶ୍ୱାସକୁ ନେଇପାରୁନି। ତା’ ସମ୍ମୁଖକୁ ଆସୁଥିବା ପ୍ରତ୍ୟେକ ସଜୀବ ଓ ନିର୍ଜୀବ ବସ୍ତୁ ସତେ ଯେମିତି ମୃତ୍ୟୁର ବାହକ। ପିତାର ପୁତ୍ରକୁ ସନ୍ଦେହ, ପତ୍ନୀର ପତିକୁ ସନ୍ଦେହ, ବନ୍ଧୁର ବନ୍ଧୁକୁ ସନ୍ଦେହ। ଘରେ ବାହାରେ ସବୁଠି ସନ୍ଦେହ। ନିଜର ଆରାଧ୍ୟ ଦେବତା ବି ଏ ସନ୍ଦେହର ବଳୟରୁ ତା’ ପାଇଁ ମୁକୁଳି ପାରିନାହାନ୍ତି। ନାନାଦି ଧର୍ମ, ସମ୍ପ୍ରଦାୟ ଓ ବିଚାରଧାରାରେ ମଣିଷ ଯେଉଁସବୁ ଧର୍ମସ୍ଥଳୀ ନିର୍ମାଣ କରିଥିଲା ସେ ସବୁର ଦ୍ୱାର ବି ଆଜିର ଏ ଦୁର୍ଦ୍ଦିନରେ ତା’ ପାଇଁ ବନ୍ଦ। ପ୍ରକୃତି ପୁଣି ଥରେ ମଣିଷକୁ ବୁଝିବାକୁ ସୁଯୋଗ ଦେଇଛି ଯେ, ମନ୍ଦିର, ମସଜିଦ୍‌, ଚର୍ଚ୍ଚ, ଗୁରୁଦ୍ୱାର ଆଦିରେ ନୁହେଁ, ନିଜର ହୃଦୟରେ ହିଁ ବାସ କରନ୍ତି ନିଜ ନିଜର ଆରାଧ୍ୟ ଈଶ୍ୱର। ପ୍ରକୃତି ଆହୁରି ବି ସୁଯୋଗ ଦେଇଛି ହୃଦୟଙ୍ଗମ କରିବାକୁ ଯେ, ସଂକୀର୍ଣ୍ଣତାର ଊର୍ଦ୍ଧ୍ୱକୁ ଉଠି ମାନବୀୟ ଚେତନାର ଅଧିକାରୀ ହେବା ହିଁ ମଣିଷର ପ୍ରକୃତ ପରିଚୟ। ପ୍ରକୃତି ଆଗରେ ଜାତି, ବର୍ଣ୍ଣ ଓ ଲିଙ୍ଗ ନିର୍ବିଶେଷରେ ପ୍ରତ୍ୟେକ ମଣିଷ ସମାନ ଓ ସମସ୍ତଙ୍କ ପାଇଁ ପ୍ରକୃତିର ଆଚରଣ ସମାନ। ଯେତିକି ସମୟ, ଅର୍ଥ, ବୁଦ୍ଧି, ଜ୍ଞାନ, ଚେତନା, କ୍ଷମତାର ଅପପ୍ରୟୋଗ କରି ପ୍ରକୃତିର ବିନାଶ କରିଛି ଓ ନିଜକୁ ସ୍ବାର୍ଥପରତାର ଆଧାରରେ ସର୍ବଶକ୍ତିମାନ ହେବାର ପ୍ରଚେଷ୍ଟା କରିଛି ସେସବୁକୁ ଯଦି ସକାରାତ୍ମକ ଢଙ୍ଗରେ ସମସ୍ତ ଜୀବଜଗତଙ୍କ ହିତରେ ଓ ପ୍ରକୃତିର ସୁରକ୍ଷାରେ ବିନିଯୋଗ କରିଥାନ୍ତା ତେବେ ଆଜି ଏକ ସାମାନ୍ୟ ସୂକ୍ଷ୍ମାତିସୂକ୍ଷ୍ମ ଭୂତାଣୁ ଭୟରେ ମଣିଷକୁ ଘର ଭିତରେ ଲୁଚି ରହିବାକୁ ପଡି ନ ଥାନ୍ତା। ସମସ୍ତ ଜୀବଜନ୍ତୁ, ବୃକ୍ଷଲତା ଆଦି ଏକ ଘରିକିଆ ମଣିଷ ପାଇଁ ଆଶ୍ୱସ୍ତବୋଧ କରୁଥିଲାବେଳେ ମଣିଷ ଘର ଭିତରେ ଲୁଚି ରହି ଜୀବନ ଭିକ୍ଷା ମାଗିବାରେ ସମୟ ଅତିବାହିତ କରୁଛି। ସମ୍ପ୍ରତି ପ୍ରକୃତି ପ୍ରମାଣ କରିଦେଇଛି ଯେ, ପୃଥିବୀରେ ମଣିଷର କୌଣସି ଆବଶ୍ୟକତା ନାହିଁ। ମଣିଷ ଘର ଭିତରେ ଆବଦ୍ଧ ହେବା ଦ୍ୱାରା ତା’ କାର୍ଯ୍ୟକଳାପରେ ଅଙ୍କୁଶ ଲାଗିବା ଯୋଗୁ ପଞ୍ଚଭୂତରେ ସୁଧାର ଆସୁଛି। ପ୍ରଦୂଷଣର ମାତ୍ରା ହ୍ରାସ ପାଉଛି। ସମସ୍ତ ପଶୁପକ୍ଷୀ ଶାନ୍ତିରେ ଓ ନିର୍ବିଘ୍ନରେ ଆତଯାତ ହେଉଛନ୍ତି। ଜୀବନ ଜିଇବାର ଆଧାର ବାୟୁ, ଜଳ, ଧରିତ୍ରୀ ଓ ଆକାଶ ସତେଯେମିତି ସମସ୍ବରରେ ମଣିଷକୁ ଚେତାବନୀ ଦେଇ କହୁଛନ୍ତି- ହେ ମଣିଷ, ତୁମେ ନ ଥିଲେ ଆମେ ଖୁସିରେ ରହିପାରୁଛୁ। ଯଦି ତୁମେ ଭବିଷ୍ୟତରେ ପୁଣି ଆମ୍ଭ ନିକଟକୁ ଫେରିବ ତେବେ ମନେରଖ, ଆମର ଅତିଥି ହୋଇ ଫେରିବ, ମାଲିକ ନୁହେଁ।

ପ୍ରକାଶ ତ୍ରିପାଠୀ
ମୋ-୯୪୩୭୨୩୨୪୬୩
ଇମେଲ-prakas.tripathy09@gmail.com


Enter your email to get our daily news in your inbox.

All Right Reserved By Dharitri.Com

ସାଧୁ ସାବଧାନ

ର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ନେତାମାନଙ୍କର ଲୋକଙ୍କ ପ୍ରତି ବ୍ୟବହାର ଭିତରେ ଏତେ ଫରକ ହେବ ବୋଲି ଆଗରୁ ସାଧାରଣ ଲୋକେ ଭାବିପାରୁ ନ...

ପ୍ରାଣବର୍ଷା

ଗୀତାରେ ଭଗବାନ କୃଷ୍ଣ କହନ୍ତି, ‘ଯଜ୍ଞାଦ ଭବତି ପର୍ଜନ୍ୟଃ’ ଅର୍ଥାତ୍‌ ଯଜ୍ଞ ଦ୍ୱାରା ପର୍ଜନ୍ୟ ବର୍ଷା ହୁଏ। ଲୋକେ ବର୍ଷାର ଅର୍ଥ ପାଣିବର୍ଷାକୁ ବୁଝନ୍ତି, ଏହା...

ହିନ୍ଦୁଙ୍କ ସାଦା ଖାଦ୍ୟ

ଓଡ଼ିଶାରେ ଯଦି ଆପଣ ଶାକାହାର ଖାଦ୍ୟ ଖାଇବାକୁ ଚାହାନ୍ତି, ତେବେ ‘ସାଦା’ ଖାଦ୍ୟ ମାଗିବାକୁ ପଡ଼େ। ଯେତେବେଳେ ବୌଦ୍ଧଧର୍ମ ଏବଂ ଜୈନଧର୍ମ ଓଡ଼ିଶାର ପ୍ରମୁଖ ଧର୍ମ...

ଏଇ ଭାରତରେ

ଭାରତରେ ଏବେ ଅନେକ ସହରରେ ବାୟୁ ପ୍ରଦୂଷଣ ଅସହ୍ୟ ହୋଇପଡ଼ିଛି। ବିଶେଷକରି ଦିଲ୍ଲୀରେ ବାହାରକୁ ବାହାରିବା ବିପଜ୍ଜନକ ହୋଇଯାଇଛି। ସ୍କୁଲ ବନ୍ଦ କରିବାକୁ ପଡ଼ୁଛି। ଏବେ...

ବ୍ୟାଙ୍କିଙ୍ଗ୍‌ରେ ସାଇବର ସୁରକ୍ଷା

ବର୍ତ୍ତମାନ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସାଇବର ସୁରକ୍ଷାର ଆବଶ୍ୟକତା ବହୁତ ବେଶି। କାରଣ ଲୋକମାନେ ସମୟ ଅଭାବରୁ ଅନ୍‌ଲାଇନ ମାଧ୍ୟମରେ ବ୍ୟାଙ୍କ କାରବାର କରୁଛନ୍ତି। ଆଉ ସାଇବର...

ନିଜର ଦୂରଦୃଷ୍ଟି ଓ ସଂକଳ୍ପ ବଳରେ ଭାରତକୁ ଗଢ଼ିଥିବା ରାଷ୍ଟ୍ରନେତା ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି

ଆଜି ୨୫ ଡିସେମ୍ବର, ଆମ ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ। ଆମ ଦେଶ ଆମର ପ୍ରିୟ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ...

ବୃଦ୍ଧାବସ୍ଥାର ଅନୁଚିନ୍ତା

ଆମ ସମାଜରେ ଦେଖିବାକୁ ମିଳୁଛି ବୃଦ୍ଧାବସ୍ଥାର ଅସହାୟତା। ବୃଦ୍ଧାବସ୍ଥାରେ ସନ୍ତାନମାନେ ହିଁ ଏକମାତ୍ର ଭରସା। ଯେତେ ବୃଦ୍ଧାଶ୍ରମ କି ଆଶ୍ରମ ହେଉ ତାହା କେବେ ବି...

ଜଳ ଆସିଲା କେଉଁଠୁ

ପୃଥିବୀକୁ ‘ଜଳଗ୍ରହ’ ବୋଲି କୁହାଯାଏ। କାରଣ ସୌରଜଗତ ଏବଂ ଅଦ୍ୟାବଧି ଏହା ବାହାରେ ଆବିଷ୍କୃତ ଶତାଧିକ ଗ୍ରହମାନଙ୍କ ମଧ୍ୟରେ ଏକମାତ୍ର ଏଥିରେ ହିଁ ରହିଛି ପ୍ରଚୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri