Categories: ଖେଳ

ମାଲିଙ୍ଗାଙ୍କ ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଉନ୍ନତି

ପାଲେକେଲେ,୭।୯- ନ୍ୟୁଜିଲାଣ୍ଡ ବିପକ୍ଷ ଅନ୍ତିମ ଟି୨୦ ମ୍ୟାଚ୍‌ରେ କ୍ରମାଗତ ୪ ବଲରେ ୪ ଉଇକେଟ ନେଇଥିବା ଭେଟେରାନ ଶ୍ରୀଲଙ୍କା ପେସର ଲାସିଥ ମାଲିଙ୍ଗାଙ୍କ ର଼୍ୟାଙ୍କିଙ୍ଗ୍‌ରେ ଉଲ୍ଲେଖନୀୟ ଉନ୍ନତି ଦେଖିବାକୁ ମିଳିଛି। ସେ ପୂର୍ବାପେକ୍ଷା ୨୦ ସୋପାନ ଉପରକୁ ଆସି ୨୧ତମ ସ୍ଥାନ ଅଧିକାର କରିଛନ୍ତି। ଏହା ଦର୍ଶାଇଛି ନୂଆ ଟି୨୦ ବୋଲରଙ୍କ ର଼୍ୟାଙ୍କିଙ୍ଗ୍‌। ଉଭୟ ଦିନିକିଆ ଓ ଟି୨୦ ଫର୍ମାଟରେ କ୍ରମାଗତ ୪ ବଲରେ ୪ ଉଇକେଟ ନେବାରେ ମାଲିଙ୍ଗା ଇତିହାସର ପ୍ରଥମ ବୋଲର। ଅନ୍ତିମ ଟି୨୦ ମ୍ୟାଚ୍‌କୁ ଶ୍ରୀଲଙ୍କା ୩୭ ରନ୍‌ରେ ଜିତି ନେଇଥିଲା। ଏହି ବିଜୟରେ ମାଲିଙ୍ଗାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ସମ୍ପୂର୍ଣ୍ଣ ୪ ଓଭର ବୋଲିଂ କରି ଏକ ମେଡେନ ଓଭର ସହ ୬ ରନ୍‌ ଦେଇ ୫ ଉଇକେଟ ହାତେଇଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ସେ ମୋଟ ଉପରେ ୫ ଥର ହ୍ୟାଟ୍ରିକ ନେଇସାରିଛନ୍ତି। ଏହି ମ୍ୟାଚ୍‌ରେ ମାଲିଙ୍ଗା ପ୍ରଥମ ପୁରୁଷ ବୋଲର ଭାବେ ୧୦୦ ଅନ୍ତର୍ଜାତୀୟ ଟି୨୦ ଉଇକେଟ ନେଇ ରେକର୍ଡ କରିଛନ୍ତି। ଆଫଗାନିସ୍ତାନ ଲେଗ୍‌ ସ୍ପିନର ରସିଦ ଖାନଙ୍କ ନେତୃତ୍ୱାଧୀନ ବୋଲଙ୍କ ର଼୍ୟାଙ୍କିଙ୍ଗ୍‌ରେ ନ୍ୟୁଜିଲାଣ୍ଡର ମିଚେଲ ସାଣ୍ଟନର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ୫ମ ସ୍ଥାନରେ ଥିବା କୁଲଦୀପ ଯାଦବ ଏକମାତ୍ର ବୋଲର ଭାବେ ଟପ୍‌ ୧୦ ମଧ୍ୟରେ ସ୍ଥାନ ପାଇଛନ୍ତି। ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍‌ରେ ମଧ୍ୟ ପରିବର୍ତ୍ତନ ହୋଇଛି। ବାବର ଆଜାମ ଶୀର୍ଷରେ ଥିବାବେଳେ କଲିନ ମୁନ୍‌ରୋ ଓ ଗ୍ଲେନ ମ୍ୟାକ୍ସଓ୍ବେଲ୍‌ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଭାରତୀୟ ଓପନର ଲୋକେଶ ରାହୁଲ ୭ମ ଓ ରୋହିତ ଶର୍ମା ୯ମ ସ୍ଥାନ ବଜାୟ ରଖିଛନ୍ତି। କୌତୂହଳ ବିଷୟ ହେଲା କି, ନିକଟରେ ଟେଷ୍ଟ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ଶୀର୍ଷ ମାନ୍ୟତା ହରାଇଥିବା ବିରାଟ କୋହଲି ଟି୨୦ରେ ୧୨ତମ ସ୍ଥାନରେ ରହିଛନ୍ତି।

Share