ମାଲେସିଆକୁ ମହଙ୍ଗା ପଡ଼ିପାରେ ପାକିସ୍ତାନକୁ ସମର୍ଥନ

କୁଆଲା ଲମପୁର,୧୫।୧୦: ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉପରେ ମାଲେସିଆ ପାକିସ୍ତାନର ସପକ୍ଷରେ ବାହାରିବା ପରେ ଭାରତ ଓ ମାଲେସିଆ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ରିପୋର୍ଟ ଅନୁସାରେ, ଏଥିଯୋଗୁ ନୂଆଦିଲ୍ଲୀ ପାମ୍‌ ଅଏଲ ଓ ମାଲେସିଆର ଅନ୍ୟ ଉତ୍ପାଦନ ଆମଦାନୀ ଉପରେ କାଟଛାଟ କରିବା ଉପରେ ବିଚାର କରୁଥିବା ଜଣାପଡ଼ିଛି। ଭାରତ ରିଫାଇନରି ମାଲେସିଆଠାରୁ ପାମ୍‌ ଅଏଲ୍‌ କ୍ରୟ କରିବା ବନ୍ଦ କରିଦେଇଛି। ମାଲେସିଆରୁ ଆମଦାନୀ ହ୍ରାସ କରିବା ପାଇଁ ଦିଲ୍ଲୀ ଆୟକର ବଢ଼ାଇବା ସହ ଅନ୍ୟ ପଦକ୍ଷେପ ଗ୍ରହଣ କରିପାରେ ବୋଲି ଭୟଭୀତ ହୋଇପଡ଼ିଛନ୍ତି ଉତ୍ପାଦକ। ହେଲେ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଏନେଇ ଅଧିକାରୀ ସ୍ତରରେ କୌଣସି ସୂଚନା ମିଳିନାହିଁ। ଏନେଇ ସ୍ପଷ୍ଟ ସୂଚନା ନ ମିଳିବା ପର୍ଯ୍ୟନ୍ତ ଇଣ୍ଡୋନେସିଆରୁ ପାମ୍‌ ଅଏଲ୍‌ ଆମଦାନୀ କରାଯିବ ବୋଲି ବ୍ୟବସାୟୀ କହିଛନ୍ତି। ଅନ୍ୟପଟେ ଏନେଇ ମାଲେସିଆ ପ୍ରଧାନମନ୍ତ୍ରୀ ମହାତିର ମହମ୍ମଦ ପ୍ରତିକ୍ରୟା ରଖିଛନ୍ତି। ସେ କହିଛନ୍ତି, କଶ୍ମୀର ଉପରେ ଦେଇଥିବା ବୟାନ ଯୋଗୁ ଦୁଇ ଦେଶ ମଧ୍ୟରେ ଯେଉଁ ଟ୍ରେଡ ଓ୍ବାର ଆରମ୍ଭ ହେବାକୁ ଯାଉଛି ଏହା ତା’ର କାରଣ ହେବା ଉଚିତ୍‌ ନୁହେଁ। ଯଦି ଏଭଳି ହୁଏ, ତେବେ ଏହା ଦୁଇ ଦେଶର ପରାଜୟ ବୋଲି ମହାତିର କହିଛନ୍ତି।

Share