ମାଲେସିଆରୁ ଆସିପାରୁ ନାହାନ୍ତି ନବଦମ୍ପତି

ନବରଙ୍ଗପୁର,୨୦।୩(ବି.ପ୍ର.) – ବିମାନ ଆସୁ ନ ଥିବାରୁ ନବରଙ୍ଗପୁର ସହରରୁ ହନିମୁନ ପାଇଁ ମାଲେସିଆ ଯାଇଥିବା ନବଦମ୍ପତି ଓଡିଶା ଆସିପାରୁ ନାହାନ୍ତି । ମାଲେସିଆର କୁଆଲାଲମ୍ପୁର ବିମାନ ବନ୍ଦରରେ ଗତ ୧୭ ତାରିଖରୁ ସେମାନେ ଫସି ରହିଛନ୍ତି। ଘରକୁ ଫେରିବା ପାଇଁ ହ୍ବାଟସଆପରେ ଭିଡିଓ ପଠାଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ନବରଙ୍ଗପୁର ଇଚ୍ଛାବତୀଗୁଡାର ଗୁପ୍ତେଶ୍ୱର ମିଶ୍ରଙ୍କ ଝିଅ ପଲ୍ଲବୀ ମିଶ୍ର ଫେବୃୟାରୀ ୨୬ ତାରିଖରେ ସେହି ସାହିର ପରିମଲ ହାଲଦାରଙ୍କ ପୁଅ ଶଙ୍କର ହାଲଦାରଙ୍କୁ ବିବାହ କରିଥିଲେ। ମାର୍ଚ୍ଚ ୧୨ ତାରିଖରେ ବିଶାଖାପାଟଣାରୁ ହନିମୁନ ସକାଶେ ମାଲେସିଆ ଯାଇଥିଲେ ା ୧୭ ତାରିଖରେ ଫେରିବା ପାଇଁ ସେମାନେ ଟିକେଟ କରିଥିଲେ। କରୋନା ପାଇଁ ବିମାନ ଚଳାଚଳ ବନ୍ଦ କରାଯିବାରୁ ଉଭୟ ଫେରି ପାରି ନ ଥିଲେ ା ପରବର୍ତ୍ତୀ ସମୟରେ ୧୮ ତାରିଖରେ କୁଆଲାଲମ୍ପୁରରୁ ସିଙ୍ଗାପୁର ଦେଇ ବିଶାଖାପାଟଣା ବିମାନ ଯିବ ବୋଲି କୁଆଲାଲମ୍ପୁର ବିମାନ ବନ୍ଦରରେ ସେମାନଙ୍କୁ କୁହାଯାଇଥିଲା। ସେଥିରେ ବିଶାଖାପାଟଣା ଆସିବା ପାଇଁ ଟିକଟ କରିଥିଲେ ା ଉକ୍ତ ବିମାନକୁ ମଧ୍ୟ ବାତିଲ କରି ଦିଆଯାଇଥିଲା। ପୁଣିଥରେ କୁଆଲାଲମ୍ପୁରରୁ ସିଙ୍ଗାପୁର-ଅମୃତସର ବିମାନ ଯିବ ବୋଲି ଜାଣିବା ପରେ ଟିକଟ କରିଥିଲେ। ତେବେ ବର୍ତ୍ତମାନ ସେହି ବିମାନକୁ ମଧ୍ୟ ବାତିଲ କରି ଦିଆଯାଇଥିବା ଜାଣିବା ପରେ ବିମାନ ବନ୍ଦରରେ ନବଦମ୍ପତି ଫସି ରହିଛନ୍ତି ା ଏହାକୁ ନେଇ ପଲ୍ଲବୀ ଓ ଶଙ୍କର ଭିଡିଓ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସେମାନଙ୍କୁ ଓଡିଶା ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି ା ୩ ଥର ଟିକଟ କରିବା ପରେ ନିଜ ପାଖରେ ଟଙ୍କା ଶେଷ ହୋଇ ଯାଇଥିବାରୁ ସେମାନେ ଚିନ୍ତାରେ ରହିଛନ୍ତି। ଟିକଟ ବାବଦ ଟଙ୍କା ମଧ୍ୟ ଫେରାଯାଉ ନାହିଁ। ଦମ୍ପତି ବାଙ୍ଗାଲୋରର ଏଚଡିଏଫସି ଲାଇଫରେ କାର୍ଯ୍ୟ କରନ୍ତି । ପଲ୍ଳବୀ ଓ ଶଙ୍କରଙ୍କ ସମେତ ଭାରତର ଆହୁରି ଅନେକ ନାଗରିକ ବିମାନବନ୍ଦରରେ ରହିଥିବା ସୂଚନା ମିଳିଛି ା ଝିଅ ଓ ଜ୍ୱାଇଁଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବ୍ୟବସ୍ଥା କରନ୍ତୁ ବୋଲି ଗୁପ୍ତେଶ୍ୱର ମିଶ୍ର ଅନୁରୋଧ କରିଛନ୍ତି।

Share