ମାଲେସିଆ ଜାହାଜରୁ ତେଲକଢ଼ା ଆରମ୍ଭ

ବ୍ରହ୍ମଗିରି, (ଡି.ଏନ୍‌.ଏ.)/ ପୁରୀ ଅଫିସ ୩୦।୮: ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ରାଜହଂସ ନିକଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁୁ ଲାଗିଥିବା ମାଲେସିଆର ପଣ୍ୟବାହୀ ଜାହାଜରୁ ଶୁକ୍ରବାର ତେଲ କଢ଼ା ଆରମ୍ଭ ହୋଇଛି। ଏଥିରେ ରହିଥିବା ୪୦ ହଜାର ଲିଟର ତେଲ ପାଇଁ ଅନେକ କଳ୍ପନାଜଳ୍ପନା ଉଙ୍କି ମାରୁଥିଲା। ତେବେ ଶୁକ୍ରବାର ତେଲ କଢ଼ା ଆରମ୍ଭ ହେବା ପରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଏହି ଜାହାଜରୁ ପ୍ରାୟ ୯ ହଜାର ଲିଟର ତେଲ ବାହାର କରାଯାଇଥିବା ସୂଚନା ମିଳିଛି।
ଗତ ୮ ତାରିଖରେ ମାଲେସିଆର ପଣ୍ୟବାହୀ ଜାହାଜ ଜିନ ହ୍ବା-୩୨ ବଙ୍ଗୋପସାଗରରେ ଯାନ୍ତ୍ରିକ ତ୍ରୁଟି ଯୋଗୁ କୃଷ୍ଣପ୍ରସାଦ ବ୍ଲକର ରାଜହଂସ ନିକଟରେ ଲାଗିଥିଲା। ଜାହାଜରୁ ତେଲ ଖାଲି କରିବା ପାଇଁ ୮ ଦିନ ତଳେ ଜିଲା ପ୍ରଶାସନ ତତ୍ପର ହୋଇଥିଲା। ଫଳରେ ଉକ୍ତ ଜାହାଜ ମାଲିକଙ୍କ ସହ ଯୋଗାଯୋଗ କରି ତେଲ କଢାଯିବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ବୁଧବାର ୩ଟି ଦଳ ଜାହାଜ ନିକଟରେ ପହଞ୍ଚତ୍ ପାଇପ ପକାଇବା କାମ ଆରମ୍ଭ କରିଛନ୍ତି। ପାରାଦୀପସ୍ଥିତ ମେରାଇନ ସର୍ଭେରୁ ଶରତ ଚନ୍ଦ୍ର ସାହୁ ଜାହାଜର ସ୍ଥିତି ତଦନ୍ତ କରିବା କାର୍ଯ୍ୟରେ ନିୟୋଜିତ ହୋଇଥିବା ସମୟରେ ଏହି ତେଲ କାଢିବା ପାଇଁ କଲିକତାର ଲଡ୍ସ ବ୍ଲୁଟେକ କମ୍ପାନୀର ଯନ୍ତ୍ରୀ ବୈଷୟିକ ସହାୟତା ପ୍ରଦାନ କରିଥିଲେ। ଏଥିସହ ଜାହାଜରୁ ତେଲ କାଢିବା ପାଇଁ ପାଇପ ସଂଯୋଗ କରିବା ଲାଗି ବାଲେଶ୍ୱରରୁ ଏକ ୬ ଜଣିଆ ଦଳ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଶୁକ୍ରବାର ଏକ ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପ ଲଗାଯାଇ ଏଥିରୁ ତେଲ ବାହାରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପମ୍ପଟି ପ୍ରତି ୪୦ ମିନିଟରେ ୨୨ଶହ ଲିଟର ତେଲ ବାହାର କରିବ। ୨ଦିନ ମଧ୍ୟରେ ଜାହାଜରୁ ସମସ୍ତ ତେଲ ବାହାର ହୋଇଯିବ। ଜାହାଜରୁ ସମ୍ପୂର୍ଣ୍ଣ ତେଲ ବାହାରିବା ପରେ ଏହାର ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ଜିଲା ପ୍ରଶାସନ ସୂଚନା ଦେଇଛି।

Share