ମାଲେସିଆ ଜାହାଜ ଅଟକିବା ପ୍ରସଙ୍ଗ:ଜିଲାପାଳ, ଏସ୍‌ପିଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ନୋଟିସ

ପୁରୀ ଅଫିସ, ୧।୧୦: ମାଲେସିଆର ଏକ ପଣ୍ୟବାହୀ ଜାହାଜ ଅଚଳ ହୋଇପଡ଼ିିବାରୁ ଚିଲିକା ମୁହାଣ ନିକଟରେ ଅଟକି ରହିଥିଲା। ଏହି ଘଟଣାରେ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ପୁରୀ ଜିଲାପାଳ, ଏସ୍‌ପି ଏବଂ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟକୁ ନୋଟିସ୍‌ କରିଛନ୍ତି। ଉକ୍ତ ଘଟଣାରେ କ’ଣ ପଦକ୍ଷେପ ନିଆଯାଇଛି ସେ ନେଇ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନୋଟିସ୍‌ରେ ଉଲ୍ଲେଖ ରହିଛି।
ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨ତାରିଖରେ ଏହି ମାଲେସିଆ ଜାହାଜ ମୋଙ୍ଗଲା ବନ୍ଦରରୁ ବାହାରି ବିଶାଖାପାଟଣା ଅଭିମୁଖେ ଯାଇଥିଲା। ସେଠାରୁ ଫେରିବାବେଳେ ଅଚଳ ହୋଇପଡ଼ିବାରୁ ଓଡ଼ିଶା ଉପକୂଳକୁ ଚାଲି ଆସିଥିଲା। ଏଥିସହ ଏହାର ବୈଷୟିକ ତ୍ରୁଟି ମଧ୍ୟ ପରିଲକ୍ଷିତ ହୋଇଥିଲା। ଏ ସଂକ୍ରାନ୍ତରେ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଜାହାଜ ମାଲିକଙ୍କୁ ଅବଗତ କରାଯିବା ସହ ଏଥିରେ ଥିବା ତେଲ ଲିକ୍‌ ହେଲେ ଚିଲିକାର ଜୈବ ବିବିଧତା ନଷ୍ଟ ହେବ ବୋଲି କୁହାଯାଇଥିଲା। ଏ ନେଇ ମାନବାଧିକାର କର୍ମୀ ଅଖଣ୍ଡ ଏନ୍‌ଏଚ୍‌ଆର୍‌ସିଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାରେ ଏନ୍‌ଏଚ୍‌ଆର୍‌ସି ଉପରୋକ୍ତ ୩ କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ କରିଛନ୍ତି। ଉଲ୍ଲେଖଥାଉ କି, ଏହି ଜାହାଜରୁ ତେଲ କଢାଯାଇ ଏହାର ଇଞ୍ଜିନ ଚାଲିଗଲାଣି, କିନ୍ତୁ କଣ୍ଟେନର ଏପର୍ଯ୍ୟନ୍ତ ଯାଇପାରିନାହିଁ।

Share