ମାଲେସିଆ ଫେରିଗଲା ଜିନ୍‌ ହ୍ବା: ଛାଡ଼ିଗଲା ସ୍ମୃତି, ଦେଇଗଲା ଅନେକ ଅନୁଭୂତି

ବ୍ରହ୍ମଗିରି, ୧୭-୯(ଡି.ଏନ୍‌.ଏ.):ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ରାଜହଂସ ଓ ଖିରୀସାହି ମଝି ବଙ୍ଗୋପ ସାଗର କୂଳରେ ଅଟକିଥିବା ମାଲେସିଆର ପଣ୍ୟବାହୀ ଜାହାଜ ଜିନ୍‌ ହ୍ବା ରବିବାର ରାତିରେ କୂଳ ଛାଡ଼ିଥିଲା। ଗତ ମାସ ୭ତାରିଖରୁ ବୈଷୟିକ ତ୍ରୁଟି ଯୋଗୁ କୂଳକୁ ଚାଲିଆସିଥିବା ଜାହାଜଟି ତାର ଗନ୍ତବ୍ୟସ୍ଥଳକୁ ଫେରିଯାଇଛି। କିନ୍ତୁ ଏହାରି ଏହାରି ଭିତରେ ଛାଡିଯାଇଛି ଅନେକ ସ୍ମୃତି ଏବଂ ସ୍ଥାନୀୟ ଲୋକଙ୍କୁ ଦେଇଯାଇଛି ଅନେକ ଅନୁଭୂତି। ଏହାର କଣ୍ଟେନରଟି ଅଲଗା ହୋଇ ଜୁଆର ମାଡରେ କ୍ଷତିଗ୍ରସ୍ତ ହୋଇ ସମୁଦ୍ର ମଧ୍ୟରେ ଓଲଟି ପଡିଥିଲା। ସେହିପରି ଜାହାଜରେ ଥିବା ତେଲ ଚିଲିକାର ଜୈବ ବିବିଧତା ଉପରେ ପ୍ରଭାବ ପକାଇବାର ଆଶଙ୍କା କରି ବିଭିନ୍ନ କଳ୍ପନା ଜଳ୍ପନା ଉଙ୍କି ମାରିଥିଲା। ଯାହାକୁ ନେଇ ଜିଲା ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟି ଯାଇଥିଲା। ଜାହାଜରେ ଥିବା ୧୦ ଜଣ ବିଦେଶୀ କର୍ମଚାରୀଙ୍କ ଅସହାୟ ଅବସ୍ଥା ଦେଖି ସାହାରା ଦେଇଥିଲେ ସ୍ଥାନୀୟ ଖିରୀସାହି ଗ୍ରାମବାସୀ। ସେମାନଙ୍କ ସହ ପରିଚୟ ନ ଥିଲେ ବି ୪୦ ଦିନ ନିଜ ପାଖରେ ରଖି ଖାଇବାକୁ ଦେଇଥିଲେ ଗ୍ରାମବାସୀ। ଭାଷା ଓ ଚାଲିଚଳନର ପ୍ରଭେଦ ଥିଲେ ମଧ୍ୟ ଭାବର ଆଦାନ ପ୍ରଦାନରେ ଅତି ଅନ୍ତରଙ୍ଗ ପାଲଟି ଯାଇଥିଲେ ସେମାନେ। ନିଜ ଦେଶକୁ ଫେରି ଯାଉଥିବା ସମୟରେ ସେମାନଙ୍କୁ ଭୁଲି ପାରି ନାହାନ୍ତି ଏଠାକାର ବାସିନ୍ଦା।
ଜାହାଜଟି ଲାଗିବା ପରଠାରୁ ଏହି ସ୍ଥାନଟି କିଛି ଦିନ ପାଇଁ ପାଲଟି ଯାଇଥିଲା ଏକ ପର୍ଯ୍ୟଟନସ୍ଥଳୀ। ପ୍ରତ୍ୟେକ ଦିନ ଏହି ଜାହାଜ ଦେଖିବାକୁ ବିଭିନ୍ନ ସ୍ଥାନରୁ ଛୁଟି ଆସୁଥିଲେ ଲୋକେ। ଏହି ସମାଗମ ଦେଖି ଉକ୍ତ ସ୍ଥାନରେ ଖୋଲିଥିଲା ଛୋଟ ଛୋଟ ଦୋକାନ। ଡଙ୍ଗା ଚାଳକଙ୍କଠାରୁ ଆରମ୍ଭ କରି ଉଠାଦୋକାନୀଙ୍କ ରୋଜଗାରର ମାଧ୍ୟମ ପାଲଟିଥିଲା ଜାହାଜ ଜିନ୍‌ ହ୍ବା। ଫଳରେ ଭଲ ଦିପଇସା ରୋଜଗାର କରି ନିଜ କୁଟୁମ୍ବ ପ୍ରତିପୋଷଣ କରୁଥିଲେ ସ୍ଥାନୀୟ ଲୋକେ। ଏବେ ଜିନ୍‌ ହ୍ବା ଫେରିଯିବା ପରେ ଶୂନଶାନ ହୋଇପଡିଛି ଏହି ସ୍ଥାନ। ଜାହାଜଟିକୁ ଅତି ନିକଟରୁ ଦେଖିବାର ଅନୁଭୂତି ଅନେକ ଲୋକଙ୍କ ପାଇଁ ବିରଳ। ଅନେକ ଛାତ୍ରୀଛାତ୍ର ଯାଇ ଏହାକୁ ଦେଖିବା ସହିତ ସ୍ବତନ୍ତ୍ର ଅନୂଭୂତି ପାଇଥିଲେ। ଏବେ କିନ୍ତୁ ସ୍ଥାନଟି ସମ୍ପୂର୍ଣ୍ଣ ଖାଁ ଖଁା ହୋଇଯାଇଛି।

Share