Categories: ବାଣିଜ୍ୟ

ମାଲ୍ୟାଙ୍କୁ ୟୁକେ ହାଇକୋର୍ଟ ଝଟକା

ଲଣ୍ଡନ,୨୬।୫: ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଆଉ ଏକ ଜୋର୍‌ ଝଟକା ଲାଗିଛି। ବ୍ରିଟେନର ଏକ ପାନୀୟ କମ୍ପାନୀ ଡିଆଜିଓକୁ ସେ ୧୩.୫ କୋଟି ଡଲାର ଅର୍ଥାତ୍‌ ପ୍ରାୟ ୯୪୫ କୋଟି ଟଙ୍କା ଦେବାକୁ ୟୁକେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାଲ୍ୟାଙ୍କ ଠାରୁ ବ୍ରିଟେନ କମ୍ପାନୀ ୧୭.୫ କୋଟି ଡଲାର ଅର୍ଥ ଦାବି କରିଥିଲା। ଡିଆଜିଓ ଯେପରି ଶୀଘ୍ର ଅର୍ଥ ଦାବି ନ କରେ ସେଥିଲାଗି କମ୍ପାନୀକୁ ମୌଖିକ ଭାବେ କୁହାଯାଇଥିଲା ବୋଲି ମାଲ୍ୟାଙ୍କ ଓକିଲଙ୍କ ପକ୍ଷରୁ ଅଦାଲତରେ ଯୁକ୍ତି ଦର୍ଶାଯାଇଥିଲା। ତେବେ ଏହାକୁ ହାଇକୋର୍ଟ ଖାରଜ କରି ସୁଧ ସହ ମୂଳ ଟଙ୍କା ଫେରାଇବାକୁ ବିଚାରପତି ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ରାୟ ପ୍ରକାଶ ପରେ ଡିଆଜିଓ ମୁଖପାତ୍ର ଡମିନିକ୍‌ ରେଡ଼ଫର୍ନ କମ୍ପାନୀ ପକ୍ଷରୁ ଖୁସି ବ୍ୟକ୍ତ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ, ମାଲ୍ୟାଙ୍କ ଦୁଇଟି କମ୍ପାନୀର ଅଂଶଧନ କିଣିବା ଲାଗି ଡିଆଜିଓ ଟଙ୍କା ଦେଇଥିଲା। କିନ୍ତୁ ମାଲ୍ୟା ଏଥିଲାଗି କମ୍ପାନୀକୁ କୌଣସି ଅଂଶଧନ ଦେଇ ନ ଥିଲେ। ଏଥିଯୋଗୁ ଡିଆଜିଓକୁ ବହୁତ କ୍ଷତି ସହିବାକୁ ପଡିଥିଲା। ମାଲ୍ୟାଙ୍କ ଦୁଇ କମ୍ପାନୀକୁ ତାଙ୍କ ପୁତ୍ର ସିଦ୍ଧାର୍ଥ ଚଳାଉଛନ୍ତି। ତିନି ବର୍ଷ ପୂର୍ବେ ତାଙ୍କ ସହ ଡିଆଜିଓର ଚୁକ୍ତି ହୋଇଥିଲା।

Share