Categories: ଗଞ୍ଜାମ

ମାଳଦୀପରେ ଚାକିରି କରାଇ ଦେବା ନା’ରେ ଠକେଇ: ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ,୫ା୧୦-ସୁଦୂର ମାଲଦୀପରେ ଚାକରି କରାଇଦେବା ନା’ରେ ଗ୍ରାମାଞ୍ଚଳର ଶିକ୍ଷିତ ବେକାର ଯୁବକଙ୍କଠାରୁ ଟଙ୍କା ଠକେଇ କରିଥିବା ଅଭିଯୋଗରେ ବୈଦ୍ୟନାଥପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ଲାଞ୍ଜିପଲ୍ଲୀର ଏନ.ବାଳକୃଷ୍ଣ ରେଡ୍ଡୀ (୩୫)। ୯ ଜଣ ଯୁବକଙ୍କଠାରୁ ୫ ଲକ୍ଷ ୮୫ ହଜାର ଟଙ୍କା ବାଳକୃଷ୍ଣ ଠକେଇ କରିଛନ୍ତି। ମାମଲା ନମ୍ବର ୨୦୮/୧୯ରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ବାଳକୃଷ୍ଣ ଗତ କିଛିମାସ ତଳେ ଲାଞ୍ଜିପଲ୍ଲୀରେ ଏକ ଅଫିସ କରିଥିଲେ। ଅନଲାଇନ ଜରିଆରେ ମାଲଦୀପରେ ବେକାର ଯୁବକଙ୍କ ଚାକିରି କରାଇଦେବେ ବୋଲି ସେ ଗୋଳନ୍ଥରା ଥାନା ମାର୍କଣ୍ଡି ଗ୍ରାମର କୈଳାସ ସେଠୀଙ୍କୁ କହିଥିଲେ। ଏଥିପାଇଁ ଜଣ ପିଛା ୬୦ ହଜାର ଟଙ୍କା ଦେବାକୁ କହିଥିଲେ। ପରେ ବାଳକୃଷ୍ଣ ୯ ଯୁବକଙ୍କ ଠାରୁ ୫ ଲକ୍ଷ ୮୫ ହଜାର ଟଙ୍କା ଠକି ନେଇଯାଇଥିଲେ। ଗତ ମାସରେ ଯୁବକମାନଙ୍କୁ ଭୁବନେଶ୍ୱର ନେଇ ନକଲି ଭିସା ଧରାଇ ସେଠାରୁ ସେ ଖସି ଆସିଥିଲେ। ପରେ ଯୁବକମାନେ ଠକେଇର ଶିକାର ହୋଇଥିବା ଜାଣିବାରୁ ବାଳକୃଷ୍ଣଙ୍କ ସହ ଯୋଗାଯୋଗ କରିଥିଲେ। ହେଲେ ଯୁବକମାନଙ୍କୁ ସେ ଧମକଚମକ ଦେଇଥିଲେ। ଗୁରୁବାର ମାର୍କଣ୍ଡି ଗ୍ରାମର କୈଳାସ ଏ ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ।