Categories: ଗଞ୍ଜାମ

ମାଷ୍ଟରମାଇଣ୍ଡ ଗିରଫ, ଅଳଙ୍କାର, ଟଙ୍କା ଜବତ

ବ୍ରହ୍ମପୁର ଅଫିସ,୨୨ା୭-ସଦର ଥାନା ପୋଲିସ ଫେରାର ଥିବା ଜଣେ ଅଭିଯୁକ୍ତ ତଥା ସିରିଜ ଚୋରି ଘଟଣାର ମାଷ୍ଟରମାଇଣ୍ଡ ରାମ ବେଲମା (୧୯)ଙ୍କୁ ଶନିବାର ଗିରଫ କରିଛି। ତାଙ୍କ ନିକଟରୁ ଚୋରି ସାମଗ୍ରୀ ଜବତ ହୋଇଛି। ଏକ ସ୍କୁଟି (ନଂ ଓଡି୦୭ଭି୨୩୨୯), ୨୫ ହଜାର ଟଙ୍କା, ସୁନା ମୁଦି ୩ଟା, ସୁନା କାନଫୁଲ ୨, ସୁନା କାନଝରା ୨, ରୁପା ମୁଦି ୩, ରୁପା ଗିନା ଗୋଟିଏ, ରୁପା ମୁଦ୍ରା ୩ଟି ଜବତ କରାଯାଇଛି। ମାମଲା ନଂ. ୧୪୬/୧୯ରେ ଅଭିଯୁକ୍ତ ରାମଙ୍କୁ ଶନିବାର ରାତିରେ କୋର୍ଟ ଚାଲାଣ କରାଯାଇଛି ବୋଲି ସଦର ଏସ୍‌ଡ଼ିପିଓ ଜୟନ୍ତ ମହାପାତ୍ର ରବିବାର ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଜୁନ ୯ ତାରିଖରେ ଲୋଚାପଡା ଅଞ୍ଚଳରେ ରହୁଥିବା ଡାକ୍ତର ଭବାନୀ ଶଙ୍କର ଶତପଥୀଙ୍କ ତାଲାବନ୍ଦ ଘରେ ଚୋର ପଶିଥିଲେ ା ଡାକ୍ତରଙ୍କ ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ କରିଥିଲା। ସିସି ଟିଭି ଫୁଟେଜ ଯାଞ୍ଚ ବେଳେ ଏହି ଚୋରି ଘଟଣାରେ ୩ ଜଣ ସାମିଲ ଥିବା ଜଣାପଡିଥିଲା। କିଛି ଦିନ ତଳେ ବଡ଼ବଜାର ପୋଲିସ ଏକ ଚୋରି ଘଟଣାରେ ଜଣେ ନାବାଳକଙ୍କୁ ଧରି ଜୁଭେନାଇଲ ଜଷ୍ଟିସ ବୋର୍ଡ଼କୁ (ଜେଜେବି) ପଠାଇଥିଲା। ସେହିପରି ଅନ୍ୟ ଏକ ଚୋରି ଘଟଣାରେ ସଦର ଥାନା ପୋଲିସ ସନ୍ତୋଷ ଦାସ ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅଭିଯୁକ୍ତ ରାମଙ୍କୁ ପୋଲିସ କାବୁ କରି ଜେରା ବେଳେ ଉପରୋକ୍ତ ୨ ଜଣ ଅଭିଯୁକ୍ତ ଡାକ୍ତରଙ୍କ ଘରେ ହୋଇଥିବା ଚୋରି ଘଟଣାରେ ସାମିଲ ଥିବା ପୋଲିସକୁ କହିଥିଲେ। ପୋଲିସ ଏବେ ସେମାନଙ୍କ ନାମରେ କୋର୍ଟରେ ରିମାଣ୍ଡ ରିପୋର୍ଟ ଦାଖଲ କରିବ ବୋଲି କହିଛି। ରାମଙ୍କ ନଁା ବଡବଜାର ଥାନା, ଟାଉନ ଥାନା ଓ ବୈଦ୍ୟନାଥପୁର ଥାନା ଇଲାକାରେ ହୋଇଥିବା ପୃଥକ ପୃଥକ ଚୋରି ଘଟଣାରେ ସମ୍ପୃକ୍ତି ଥିବା ଏସ୍‌ଡ଼ିପିଓ ମହାପାତ୍ର ସୂଚନା ଦେଇଛନ୍ତି।