Categories: ଗଞ୍ଜାମ

ମାଷ୍ଟର ମାଇଣ୍ଡଙ୍କ ସମେତ ୩ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ/ଦିଗପହଣ୍ଡି, ୫ା୧୨(ଡି.ଏନ.ଏ.)-ବ୍ରହ୍ମପୁର ଅବକାରୀ ବିଭାଗ ଷ୍ଟ୍ରାଇକିଂ ଫୋର୍ସ ଓ ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ବୁଧବାର ଦିଗପହଣ୍ଡି ଥାନା ଡେଙ୍ଗାଓସ୍ତା-ଭୀଷ୍ମଗିରି ଛକ କପିଳେଶ୍ୱର ମାର୍କେଟ କମ୍ପ୍ଲେକ୍ସରେ ଥିବା ସ୍ବାଧୀନ ହୋମିଓପାଥି ଦୋକାନରୁ ୫ପେଟିରେ ଥିବା ପ୍ରାୟ ୧୨୦ନକଲି ବିଦେଶୀ ମଦ ଜବତ କରାଯାଇଛି। ଫାସୀଗୁଡା ପଞ୍ଚାୟତ ଜଲମେରୀ ଗଁ। ର ଔଷଧ ଦୋକାନ ମାଲିକ ଅରକ୍ଷିତ ରାଉତଙ୍କୁ ଅଟକ ରଖାଯାଇଛି। ସୂଚନାକୁ ଭିତ୍ତିକରି ସନ୍ଧ୍ୟାରେ ବଡ଼ବଜାର ଥାନା ଅଧୀନ ଆସ୍କା ରୋଡ଼ ପାଣିଗ୍ରାହୀ ପେଣ୍ଠରେ ରହୁଥିବା ବୃନ୍ଦାବନ ସାହୁଙ୍କ ବାସଭବନରେ ଚଢାଉ କରିଥିଲେ। ବିଭିନ୍ନ ବ୍ରାଣ୍ଡର ନକଲି ବିଦେଶୀ ମଦ, ସ୍ପିରିଟ, କେମିକାଲ, ପ୍ୟାକିଙ୍ଗ ମେଶିନ, ନାମୀ କମ୍ପାନୀର ଷ୍ଟିକର, ଖାଲି ମଦ ବୋତଲ, ଠିପି ପ୍ରଭୃତି ଦେଖିଥିଲେ। ସେଠାରେ ଥିବା ମାଷ୍ଟର ମାଇଣ୍ଡ ଅନିଲ ସାହୁ, ତାଙ୍କ ବାପା ବୃନ୍ଦାବନ ସାହୁ, ସହଯୋଗୀ କବିସୂର୍ଯ୍ୟନଗର ଅଞ୍ଚଳର ରାଜା ଗୌଡଙ୍କୁ ଅବକାରୀ କର୍ମଚାରୀମାନେ ଗିରଫ କରି ଜେରା ଚଳାଇଛନ୍ତି। ଏଠାରେ ନକଲି ବିଦେଶୀ ମଦ ପ୍ରସ୍ତୁତ ହେବା ପରେ ଆସିକା, ଦିଗପହଣ୍ଡି, ଚିକିଟି, ପାତ୍ରପୁର, ଛତ୍ରପୁର, ଭଞ୍ଜନଗର ସମେତ ବିଭିନ୍ନ ଅଞ୍ଚଳକୁ ଚୋରାଚାଲାଣ କରାଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ବ୍ରହ୍ମପୁର ସଦର ଅବକାରୀ ଇନ୍ସପକ୍ଟର ରୋଶନ ଇସୁ ହଁାସଦା କହିଛନ୍ତି। ଅନିଲଙ୍କୁ ୬ ମାସ ପୂର୍ବେ ଛତ୍ରପୁର ଅଞ୍ଚଳରୁ ଚୋରା ବିଦେଶୀ ମଦ ସହ ଗିରଫ କରାଯାଇଥିଲା। ଏହି ଚଢାଉରେ ଅବକାରୀ ଇନ୍ସପେକ୍ଟର ଶ୍ରୀଧର ମହାନ୍ତ ଓ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ।