ମାସକରେ ସମ୍ପୂର୍ଣ୍ଣ ହେବ ରେଲୱେ ଓଭରବ୍ରିଜ୍‌

ବ୍ରହ୍ମପୁର ଅଫିସ,୨୯ା୧-ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲ ଏବଂ ଆଙ୍କୁଲି ଶିଳ୍ପାଞ୍ଚଳ ଛକ ପର୍ଯ୍ୟନ୍ତ ନିର୍ମାଣାଧୀନ ରେଲୱେ ଓଭରବ୍ରିଜ ମାସକ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସମ୍ପୃକ୍ତ ପୂର୍ତ୍ତ ବିଭାଗ ଇଞ୍ଜିନିୟରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ମାଣ କାର୍ଯ୍ୟରେ ବାଧକ ସାଜିଥିବା କେତେକ ଘରୋଇ ଘର ଓ ଜମିର ପୁନର୍ବାର ଡିମାର୍କେଶନ କରିବା ପାଇଁ ରାଜସ୍ବ ବିଭାଗ ଏବଂ କ୍ଷତିପୂରଣ ସମସ୍ୟା ତୁଟାଇବାକୁ ମଧ୍ୟ ଜିଲାପାଳ ଆଦେଶ ଦେଇଥିଲେ। ବ୍ରିଜ ନିର୍ମାଣରେ ଅହେତୁକ ବିଳମ୍ବ ଯୋଗୁ ପ୍ରତିଦିନ ଶହ ଶହ ଲୋକ ଦୁର୍ଦ୍ଦଶା ଭୋଗୁଛନ୍ତି। ଏହାର ସମାଧାନ ଦାବି ନେଇ ସକଳେଶ୍ୱର ଓଭରବ୍ରିଜ କ୍ରିୟାନୁଷ୍ଠାନ କମିଟି ବହୁବାର ଦାବି ପରେ ବୃହତ୍‌ ଜନ ଆନ୍ଦୋଳନ ଧମକ ଦେବା ପରେ ମଙ୍ଗଳବାର ଅପରାହ୍ନରେ ସ୍ଥିତି ଅନୁଧ୍ୟାନ ପାଇଁ ଶିଳ୍ପାଞ୍ଚଳରେ ପହଞ୍ଚତ୍ଥିଲେ ଜିଲାପାଳ। ତାଙ୍କ ସହିତ ଉପଜିଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ବ୍ରହ୍ମପୁର ତହସିଲଦାର ଓ ଅନ୍ୟ ରାଜସ୍ବ ଅଧିକାରୀ ତଥା କର୍ମଚାରୀ ଏବଂ ପୂର୍ତ୍ତ ବିଭାଗ ଡିଭିଜନ ନଂ ୨ର ଇଞ୍ଜିନିୟର ଥିଲେ।
କ୍ରିୟାନୁଷ୍ଠାନ କମିଟି ସଦସ୍ୟ ଓ ଅନେକ ଅଞ୍ଚଳବାସୀ ଉପସ୍ଥିତ ରହି ଜିଲାପାଳଙ୍କୁ ସମସ୍ୟା ଜଣାଇଥିଲେ। ଜଣେ ରାଜସ୍ବ ବିଭାଗ ଅଧିକାରୀ ଓ ଆଉ କେତେକ ଅବସରପ୍ରାପ୍ତ କର୍ମଚାରୀ ବିଭିନ୍ନ ଭାବେ ଚାପ ପକାଇ ସେମାନଙ୍କ ଘର ଉଚ୍ଛେଦ ନ କରିବା ପାଇଁ ରାସ୍ତା ନକ୍ସା ବଦଳାଇଥିବାରୁ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁ ନ ଥିବା ଜିଲାପାଳଙ୍କୁ ଅବଗତ କରାଯାଇଥିଲା। ଉପସ୍ଥିତ ଥିବା ଭୂ-ଅର୍ଜନ ଅଧିକାରୀଙ୍କୁ କ୍ଷତି ପୂରଣ ସମସ୍ୟା ତୁଟାଇବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଅଦାଲତରେ ରୁଜୁ ମାମଲାର ଫଇସଲା ଲାଗି ମଧ୍ୟ ତ୍ୱରିତ ପଦକ୍ଷେପ ନିଆଯିବାର କୁଲାଙ୍ଗେ କ୍ରିୟାନୁଷ୍ଠାନ କମିଟିକୁ ଆଶ୍ୱାସନା ଦେଇଥିଲେ। ମାସକ ମଧ୍ୟରେ ସବୁ ସମସ୍ୟା ସମାଧାନ କରାଯାଇ ଓଭରବ୍ରିଜ ଓ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ କରାଯିବାର କୁହାଯାଇଥିଲା।
କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବସନ୍ତ ନନ୍ଦ, ବାବୁଲା ନାୟକ, ଏଲ. ସୁଦାମ ଦାସ, ଗିରିଧାରୀ ରେଡ୍ଡୀ, ତୁମ୍ବେଶ୍ୱର ନାୟକ, ବାପୁଜୀ ପାତ୍ର, ସୁନୀଲ ମଣ୍ଡଳ, ଶିବ ଶଙ୍କର ନାୟକ, ବଦ୍ରି ନାରାୟଣ ମିଶ୍ର, ବାବୁଜୀ ମହାନ୍ତି, ଦାଶରଥି ନାୟକ, ସୁବୋଧ ମିଶ୍ର ଓ ସଞ୍ଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Share