ମାସକର ଦରମା ଦେଲେ କେନ୍ଦ୍ରମନ୍ତ୍ରୀ

ବାଲେଶ୍ୱର ଅଫିସ/ଖଇରା/ଭଦ୍ରକ ଅଫିସ, ୨୯।୩(ଡି.ଏନ.ଏ.)-କରୋନା ମୁକାବିଲା ଲାଗି ଆର୍ଥତ୍କ ସହାୟତା ଯୋଗାଇ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ନିବେଦନ କରାଯାଉଛି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଏମ୍‌ପି ତଥା କେନ୍ଦ୍ର ଅଣୁ, କ୍ଷୁଦ୍ର ଏବଂ ମଧ୍ୟମଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀବିକାଶ ଏବଂ ଗୋପାଳନ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ତାଙ୍କର ଏକ ମାସର ଦରମା ପ୍ରଦାନ କରିଛନ୍ତି। ସିମୁଳିଆ ନିର୍ବାଚନମଣ୍ଡଳୀ ବିଧାୟକ ତଥା ପର୍ଯ୍ୟଟନ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ନିଜ ହାତପାଣ୍ଠିରୁ ୧ କୋଟି ଟଙ୍କା ପ୍ରଦାନ କରିଛନ୍ତି ା ଏ ସମ୍ପର୍କରେ ସେ ବାଲେଶ୍ୱର ଜିଲାପାଳଙ୍କୁ ୨୭ତାରିଖରେ ଲିଖିତ ଭାବେ ଅବଗତ କରାଇଛନ୍ତି ା ମନ୍ତ୍ରୀ ପାଣିଗ୍ରାହୀ ଏହା ପୂର୍ବରୁ ୨୪ତାରିଖରେ ୩ମାସର ଦରମା ବାବଦକୁ ୧ଲକ୍ଷ ୫ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିସାରିଛନ୍ତି ା ସେହିପରି ଭଦ୍ରକ ଜିଲାର ବିଭିନ୍ନ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ବରପଦା ଇଞ୍ଜିନିୟରିଂ କଲେଜର କର୍ମଚାରୀ ସୁଦର୍ଶନ ବାରିକ ୨୦ହଜାର ଟଙ୍କା, ବିଜେଡି ଯୁବ ନେତା ପ୍ରିୟବ୍ରତ ନାୟକ ୨୩ହଜାର, ପୂର୍ବତନ ଜିଲା ଚିକିତ୍ସାଧିକାରୀ ଡ. ରବୀନ୍ଦ୍ର କୁମାର ନାୟକ ୫୦ହଜାର, ତିହିଡ଼ି ବ୍ଲକ ଅଧ୍ୟକ୍ଷ ବିଦ୍ୟୁତ୍‌ ଲତା ନାୟକ ୫୦ହଜାର, ପଣ୍ଡିତ ଦୟାନିଧି ଦାସ ୩୦ ହଜାର ଓ ଭଦ୍ରକ ବ୍ଲକ ଚେୟାରମ୍ୟାନ ରଘୁନାଥ ଧଳ ୬ ମାସର ଦରମା ପ୍ରଶାସନିକ ଅଧିକାରୀମାନଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି।