Categories: ଖେଳ

ମାସାକାଡ୍‌ଜା ଜିମ୍ବାଓ୍ବେ କ୍ରିକେଟ୍‌ର ପ୍ରଥମ ଡିଓସି

ହରାରେ,୩୧।୧୦-ନିକଟରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିସାରିଥିବା ଜିମ୍ବାଓ୍ବେ ବ୍ୟାଟ୍ସମ୍ୟାନ ହାମିଲଟନ ମାସାକାଡ୍‌ଜାଙ୍କୁ ନୂଆ ଭୂମିକାରେ ଦେଖିବାକୁ ମିଳିବ। ତାଙ୍କୁ ଜିମ୍ବାଓ୍ବେର ଡିରେକ୍ଟର ଅଫ୍‌ କ୍ରିକେଟ୍‌ (ଡିଓସି) ଭାବେ ନିଯୁକ୍ତ କରାଯାଇଛି। ଏଥିସହ ଜିମ୍ବାଓ୍ବେର ପ୍ରଥମ ଡିଓସି ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଜିମ୍ବାଓ୍ବେ ବୋର୍ଡ ପକ୍ଷରୁ ଗତ ଅଗଷ୍ଟରେ ହୋଇଥିବା ବୈଠକରେ ଏହି ପଦବୀ ପାଇଁ ଅନୁମୋଦନ କରାଯାଇଥିଲା। ଜାତୀୟ କ୍ରିକେଟ୍‌ ଦଳର ସମସ୍ୟା ବୁଝିବା, ନିଯୁକ୍ତି ପ୍ରଦାନ, ମ୍ୟାନେଜମେଣ୍ଟ ଓ ସିନିୟର କ୍ରିକେଟ୍‌ ଟେକ୍‌ନିକାଲ ଷ୍ଟାଫ୍‌ଙ୍କ ସହ ଯୋଗାଯୋଗ ହାମିଲଟନଙ୍କ ଦାୟିତ୍ୱରେ ରହିବ। ଉଲ୍ଲେଖଯୋଗ୍ୟ, ୧୯ ବର୍ଷର କ୍ରିକେଟ୍‌ କ୍ୟାରିୟରରେ ମାସାକାଡ୍‌ଜା ଜାତୀୟ ଦଳ ପକ୍ଷରୁ ୩୦୦ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି। ଯେଉଁଥିରେ ୬୮ ଟେଷ୍ଟ, ୨୦୯ ଦିନିକିଆ ଓ ୬୬ ଟି୨୦ ମ୍ୟାଚ ଅନ୍ତର୍ଭୁକ୍ତ ରହିଛି। ଟେଷ୍ଟରେ ସେ ୨୨୨୩ ରନ, ଦିନିକିଆରେ ୫୬୫୮ ରନ ଓ ଟି୨୦ରେ ୧୬୬୨ ରନ ସଂଗ୍ରହ କରିଛନ୍ତି। ଗତ ମାସରେ ସେ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ। ତିନୋଟି ଯାକ ଫର୍ମାଟ୍‌ରେ ସେ ଜାତୀୟ ଦଳର ନେତୃତ୍ୱ ମଧ୍ୟ ନେଇଥିଲେ।

Share