ମାସେ ପର୍ଯ୍ୟନ୍ତ ଜନଆନ୍ଦୋଳନ କରିବନି ଭାଜପା

ଭୁବନେଶ୍ୱର,୧୯।୩ (ବ୍ୟୁରୋ): କରୋନା ଲାଗି ବିଧାନସଭା ବନ୍ଦ ହେବାକୁ ବିରୋଧ କରୁଥିବା ଭାଜପା ଏବେ ଏହି ମହାମାରୀ ରୋଗକୁ ଦୃଷ୍ଟିରେ ରଖି ଦଳର ସବୁ କାର୍ଯ୍ୟକ୍ରମ ଆସନ୍ତା ଏକ ମାସ ପର୍ଯ୍ୟନ୍ତ ବନ୍ଦ କରିବାକୁ ଘୋଷଣା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦୀୟ ଦଳ ବୈଠକରେ ଏମ୍‌ପିମାନଙ୍କୁ ନିଜ ନିଜ କ୍ଷେତ୍ରରେ ଜନ ଆନ୍ଦୋଳନ ନ କରି ସଚେତନତା କରିବାକୁ ଆହ୍ବାନ ଦେଇଛନ୍ତି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ସାରା ଦେଶରେ ଦଳ ପକ୍ଷରୁ କୌଣସି ପ୍ରକାରର ଜନଆନ୍ଦୋଳନ, ଧାରଣା, ବିକ୍ଷୋଭ ପ୍ରଦର୍ଶନ କରାଯିବ ନାହିଁ। ଓଡ଼ିଶାରେ ଏହିସବୁ ହେବନାହିଁ ବୋଲି ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି। ଦଳର ସବୁ କାର୍ଯ୍ୟକର୍ତ୍ତାମାନେ କରୋନା ସଚେତନତା ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବାର କାର୍ଯ୍ୟ କରିବେ। ପ୍ରଦେଶ, ଜିଲା ଏବଂ ମଣ୍ଡଳସ୍ତରର ପଦାଧିକାରୀମାନେ ଟିମ୍‌ ଗଢ଼ି ଜନଜାଗରଣ କାର୍ଯ୍ୟକ୍ରମ କରିବେ ବୋଲି ସମୀର କହିଛନ୍ତି। ସେହିପରି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କଂଗ୍ରେସ ସମସ୍ତ ସାଙ୍ଗଠନିକ କାର୍ଯ୍ୟକ୍ରମକୁ ବାତିଲ୍‌ କରିଛି। କର୍ମୀମାନେ କରୋନା ସମ୍ପର୍କରେ ଠିକ୍‌ ବାର୍ତ୍ତା ପ୍ରଚାର କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି(ପିସିସି) ପକ୍ଷରୁ ପରାମର୍ଶ ଦିଆଯାଇଛି।

Share