ମାସେ ବନ୍ଦ ରହିବ ଭୁବନେଶ୍ୱର-ବ୍ୟାଙ୍କକ୍‌ ବିମାନ ସେବା

ଭୁବନେଶ୍ୱର,୧୯।୯(ବ୍ୟୁରୋ): ଭୁବନେଶ୍ୱରକୁ ବ୍ୟାଙ୍କକ୍‌କୁ ଚଳାଚଳ କରୁଥିବା ଏୟାର ଇଣ୍ଡିଆର ଡାଇରେକ୍ଟ ଫ୍ଲାଇଟ୍‌ ସେବା ସେପ୍ଟେମ୍ବର ୨୩ରୁ ଅସ୍ଥାୟୀଭାବେ ବନ୍ଦ ରହିବ। ଏହା ଅକ୍ଟୋବର ଶେଷ କିମ୍ବା ନଭେମ୍ବର ଆରମ୍ଭରୁ ପୁଣି ଚଳାଚଳ କରିବ। ବୁଧବାର ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପର୍ଯ୍ୟଟନ ସଚିବ ବିଶାଳ ଦେବ। ସେ କହିଛନ୍ତି, ପର୍ଯ୍ୟଟନ ଶିଳ୍ପର ବିକାଶକୁ ନିଜରରେ ରଖି ବିମାନ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ କରିବାକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ହେଲେ ଯାତ୍ରୀଙ୍କ ସଂଖ୍ୟା କମ୍‌ ରହୁଥିବାରୁ ଅଧିକାଂଶ ସଂସ୍ଥା ବିମାନ ସେବା ଆରମ୍ଭ କରିବାକୁ ରାଜି ହେଉନାହାନ୍ତି। ଏହାସତ୍ତ୍ୱେ ଆମେ ଭୁବନେଶ୍ୱରରୁ ସିଙ୍ଗାପୁରକୁ ସିଧାସଳଖ ବିମାନ ସେବା ଯୋଗାଇ ଦେବାକୁ ଯୋଜନା କରୁଛୁ। ଏନେଇ ଏୟାର ଏସିଆ ସହ ଆଲୋଚନା ଚାଲିଛି। ଖୁବ୍‌ଶୀଘ୍ର ଦୁବାଇକୁ ମଧ୍ୟ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବ ବୋଲି ସେ କହିଛନ୍ତି। ସେହିଭଳି ଝାରସୁଗୁଡ଼ା ବିମାନ ବନ୍ଦର ଏବେ ଦେଶର ୪ଟି ପ୍ରମୁଖ ସହର ତଥା ହାଇଦ୍ରାବାଦ, କଲିକତା, ଦିଲ୍ଲୀ, ରାୟପୁରକୁ ସଂଯୋଗ କରୁଥିବା ବେଳେ ଯାତ୍ରୀ ସଂଖ୍ୟା ମଧ୍ୟ ଭଲ ରହୁଛି। ଖୁବ୍‌ଶୀଘ୍ର ଝାରସୁଗୁଡାରୁ ବାଙ୍ଗାଲୋରକୁ ବିମାନ ଚଳାଚଳ ଆରମ୍ଭ ହେବାନେଇ ସଚିବ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆସନ୍ତା ନଭେମ୍ବର ୧ରୁ ୨୦୧୯ ଜୁନ୍‌ ୩୦ ପର୍ଯ୍ୟନ୍ତ ରନ୍‌ଓ୍ବେ ରି-କାର୍ପେଟିଂ ହେବାକୁ ଥିବାରୁ ୮ମାସ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ରନ୍‌ଓ୍ବେକୁ ବନ୍ଦ ରଖାଯିବ। ତେବେ ସେପ୍ଟେମ୍ବରରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ପର୍ଯ୍ୟଟନ ଋତୁ ଥିବାବେଳେ ଏହି ସମୟ ମଧ୍ୟରେ ରନ୍‌ଓ୍ବେ ବନ୍ଦ ରହିଲେ ବିମାନ ସେବା ବିଶେଷଭାବେ ବାଧାପ୍ରାପ୍ତ ହେବ। ଏହାଦ୍ୱାରା ଉଭୟ ପର୍ଯ୍ୟଟନ ଏବଂ ହୋଟେଲ ଶିଳ୍ପ ବିଶେଷଭାବରେ କ୍ଷତିଗସ୍ତ ହେବ ବୋଲି ଆଶଙ୍କା କରିଛି ହୋଟେଲ୍‌ ଆଣ୍ଡ୍‌ ରେଷ୍ଟୁରାଣ୍ଟ୍‌ ଆସୋସିଏସନ୍‌ ଅଫ୍‌ ଓଡ଼ିଶା। ଭୁବନେଶ୍ୱର ବିମାନ ବନ୍ଦରରେ ଏବେ ଏୟାର ଟ୍ରାଫିକ୍‌ ବୃଦ୍ଧି ପାଇଥିବା ବେଳେ ପର୍ଯ୍ୟଟନ ଋତୁରେ ଏହା ଆହୁରି ବୃଦ୍ଧି ପାଇବ। ମାତ୍ର ଠିକ୍‌ ସେହି ସମୟରେ କମ୍‌ ବିମାନ ଚଳାଚଳ କଲେ ଓଡ଼ିଶାକୁ ପର୍ଯ୍ୟଟକଙ୍କ ଆଗମନ ହ୍ରାସ ପାଇବ ବୋଲି କୁହାଯାଇଛି। ବାତ୍ୟା ଫନୀ ପରେ ଧୀରେ ଧୀରେ ପରିସ୍ଥିତିରେ ସୁଧାର ଆସୁଥିବା ବେଳେ ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକଙ୍କୁ ବିମାନ ନମିଳିଲେ ପର୍ଯ୍ୟଟନ ଶିଳ୍ପକୁ ଏକ ବିରାଟ ବଡ଼ କ୍ଷତି ସହିବାକୁ ପଡ଼ିବ ବୋଲି ହୋଟେଲ୍‌ ଆଣ୍ଡ୍‌ ରେଷ୍ଟୁରାଣ୍ଟ୍‌ ଆସୋସିଏସନ୍‌ ଅଫ୍‌ ଓଡ଼ିଶା ଅଧ୍ୟକ୍ଷ ଜେ.କେ. ମହାନ୍ତି କହିଛନ୍ତି। ତେବେ ଏନେଇ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯିବ ବୋଲି ପର୍ଯ୍ୟଟନ ବିଭାଗ ସଚିବ ଦେବ ସୂଚନା ଦେଇଛନ୍ତି।

Share