ମାସେ ଭିତରେ ଘରୋଇ ବ୍ୟାଙ୍କରୁ ମହାପ୍ରଭୁଙ୍କ ଟଙ୍କା ଫେରୁ, ନଚେତ ବାଚସ୍ପତି ସମ୍ଭାଳି ପାରିବେନି: ସୁର

ଭୁବନେଶ୍ୱର,୧୩।୩(ବ୍ୟୁରୋ): ୟେସ୍‌ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ନେଇ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ(ସୁର) କୁମାର ରାଉତରାୟ ଶୁକ୍ରବାର ବର୍ଷିଛନ୍ତି। ବିଧାନସଭା ବାହାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ସୁର କହିଛନ୍ତି, ଗୃହ କମିଟି ଗଠନ ହେଉ, ମାସେ ଭିତରେ ଟଙ୍କା ଫେରୁ। ମାସେ ଭିତରେ ଟଙ୍କା ନ ଫେରିଲେ ବାଚସ୍ପତି ସମ୍ଭାଳି ପାରିବେନି। କେଉଁ ବିଜୟ ଭାଇ, ପ୍ରଦୀପ ଭାଇ ସରକାରଙ୍କ ପିଠିରେ ପଡ଼ିବେ ନାହିଁ।ୟେସ୍‌ ବ୍ୟାଙ୍କକୁ ଟଙ୍କା କିଭଳି ଗଲା, କିଏ ନେଲା କୁହନ୍ତୁ। ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଫାଇନାନ୍ସ କମିଟିକୁ କିଭଳି ଗଲେ କୁହନ୍ତୁ।

ପ୍ରକାଶ ଯେ, ଉକ୍ତ ପ୍ରସଙ୍ଗରେ ବୁଧବାରଠାରୁ ବିଧାନସଭାରେ ଆଲୋଚନା ହୋଇଆସୁଛି। ଏପରିକି ବିରୋଧୀମାନେ ଗୃହକୁ ଅଚଳ କରୁଛନ୍ତି। ୟେସ୍‌ ବ୍ୟାଙ୍କରେ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ରଖିବାକୁ ଅନୁମତି କିଏ ଦେଲା। ଏଥିରେ କାହାର ହାତ ଅଛି। ପ୍ରଥମେ ଶ୍ରୀଜଗନ୍ନାଥଙ୍କ ବ୍ରହ୍ମବିଭ୍ରାଟ ପରେ ରତ୍ନଭଣ୍ଡାର ଚାବି ହଜିବା ଆଉ ଏବେ ମହାପ୍ରଭୁଙ୍କ ଟଙ୍କା ବୁଡ଼ିବା ପରିସ୍ଥିତି ସୃଷ୍ଟି ହୋଇଛି। ତିରୁପତି ଟ୍ରଷ୍ଟ ବ୍ୟାଙ୍କରୁ ଟଙ୍କା ଉଠାଇ ନେଇଥିବାବେଳେ ରାଜ୍ୟ ସରକାର ନିଦାବିଷ୍ଣୁ ହୋଇଗଲେ। ଏବେ ଟଙ୍କା ବୁଡ଼ିବା ପରିସ୍ଥିତି ବୋଲି ବିରୋଧୀମାନେ ଦର୍ଶାଇବା ସହ ସରକାରଙ୍କୁ ଘେରି ଆସୁଛନ୍ତି।

Share