ମାସ୍କ୍ ବିକ୍ରି ପାଇଁ ଘରୁ ଗୋଡ଼କାଢ଼ିଲା ଶିଶୁ: ଟଙ୍କା ନ ଥିଲେ ବି ମାଗଣାରେ ନେଇଯିବାକୁ କହିଲା

ଇସଲାମାବାଦ୍‌,୫ ।୪: କୁହାଯାଏ ବିପଦ ସମୟରେ ଲୋକଙ୍କ ମଧ୍ୟରେ ଏକଜୁଟ ହେବାର ସ୍ୱଭାବ ଦେଖାଦେଇଥାଏ । ଲୋକେ ଭେଦଭାବ ଭୁଲି ବିପଦ ବିରୋଧରେ ଲଢ଼େଇ କରିବା ଲାଗି ପ୍ରସ୍ତୁତ ହୋଇଥାନ୍ତି । ଏହାର ସଦ୍ୟତମ ଉଦାହରଣ ପାକିସ୍ତାନର ଏକ ଛୋଟ ବାଳକଠାରେ ଦେଖିବାକୁ ମିଳିଛି । ପିଲାଟିକୁ ମା’ କହିଥିଲେ ବିପଦ ସମୟରେ ଲୋକଙ୍କ ସହାୟତା କରିବା ଜରୁରୀ । ଏହାର ପ୍ରଭାବ ପିଲାଟି ଉପରେ ପଡ଼ିଥିଲା । ସେ ମା’ ତିଆରି କରିଥିବା ମାସ୍କ୍ ବିକ୍ରି କରିବାକୁ ଘରୁ ଗୋଡ଼ କାଢ଼ିଛି । ଦେଶରେ କରୋନା ସଂକ୍ରମଣ ହୋଇଥିବା ସମୟରେ ସାହିବାଲ ସହରର ପାକପାଟନ ଛକରେ ରାସ୍ତା କଡ଼ରେ ମୁହଁରେ ମାସ୍କ୍ ପିନ୍ଧି ହାତରେ ଏକ ବାଡ଼ିରେ ବହୁଗୁଡ଼ିଏ ମାସ୍କ୍ ଧରି ଠିଆ ହୋଇଛି । ରାସ୍ତାରେ ଯିବା ଆସିବା କରୁଥିବା ଲୋକଙ୍କୁ ମାସ୍କ୍ ନେବାକୁ କହୁଛି । ଯଦି କେହି ପାଖରେ ଟଙ୍କା ନ ଥିବା କହୁଛନ୍ତି, ସେମାନଙ୍କୁ ମାଗଣାରେ ମାସ୍କ୍ ନେଇ ଯିବାକୁ କହୁଛି । ମାସ୍କ୍ ପିନ୍ଧି ସୁରକ୍ଷିତ ରହିବାକୁ ମଧ୍ୟ ସେ ଲୋକଙ୍କୁ ସଚେତନ କରାଉଛି । ସେ ୨୦ ଟଙ୍କାରେ ମାସ୍କ୍ ବିକ୍ରି କରୁଛି । ଏବେ ପିଲାଟି ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

Share