ମାସ୍କ ତିଆରି କରି ରିହାତି ଦରରେ ଯୋଗାଇଲେ ଏସ୍‌ଏଚ୍‌ଜି ମହିଳା

ସୋନପୁର, ୨୬।୩(ନି.ପ୍ର.) ଘାତକ କରୋନା ଭୂତାଣୁର ସଂକ୍ରମଣ ସାରା ବିଶ୍ୱକୁ କବଳିତ କରିଛି। ଏଭଳି ସମୟରେ ବଜାରରେ ମାସ୍କ ମିଳୁନି। ପ୍ରଶାସନର ପରାମର୍ଶକ୍ରମେ ସୁବର୍ଣ୍ଣପୁର ଜିଲାର ୧୨ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ମାସ୍କ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି। କରୋନା ଆତଙ୍କ ସମୟରେ ମହିଳାମାନେ ମାସ୍କ ତିଆରି କରୁଛନ୍ତି। ଜିଲାପାଳ ମୋନିଷା ବାନାର୍ଜୀଙ୍କ ପରାମର୍ଶକ୍ରମେ ସେମାନେ ମାତ୍ର ୧୦ଟଙ୍କାରେ ଗୋଟିଏ ମାସ୍କ ଯୋଗାଇ ଦେଉଛନ୍ତି। ମିଶନ ଶକ୍ତି ଜିଲା ପ୍ରକଳ୍ପ ସଂଯୋଜକ କାର୍ତ୍ତିକ ଚନ୍ଦ୍ର ନାୟକଙ୍କ ସହଯୋଗକ୍ରମେ ମହିଳା ସ୍ବୟଂ ସହାୟକ ଦଳର ସଦସ୍ୟାମାନେ ୫ହଜାରରୁ ଊର୍ଦ୍ଧ୍ୱ ମାସ୍କ ତିଆରି କରି ପ୍ରଶାସନ ଓ ବ୍ୟବସାୟୀଙ୍କୁ ଯୋଗାଇ ସାରିଲେଣି। ଏସ୍‌ଏଚ୍‌ଜିର ସଦସ୍ୟାମାନେ ୪ପ୍ରକାରର ମାସ୍କ ତିଆରି କରି ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଦିଲୀପ କୁମାର ପଣ୍ଡାଙ୍କୁ ଦେଖାଇଥିଲେ। ଡାକ୍ତର ପଣ୍ଡା ସେଥି ମଧ୍ୟରୁ ଗୋଟିଏ ଡିଜାଇନକୁ ଅନୁମୋଦନ କରିଥିଲେ । ମହିଳାମାନେ ସେହି ପ୍ରକାରେ ମାସ୍କ ତିଆରି କରି ପ୍ରଶାସନକୁ ଯୋଗାଉଛନ୍ତି । ସ୍ବାସ୍ଥ୍ୟ ବିଭାଗ, ବିଭିନ୍ନ ସ୍ଥାନରେ କାମ କରିବାକୁ ଯାଉଥିବା ସରକାରୀ କର୍ମଚାରୀ, ବ୍ୟାଙ୍କ, ପୋଷ୍ଟ ଅଫିସରେ କାର୍ଯ୍ୟରତ ଅଧିକାରୀ, କର୍ମଚାରୀ ଓ ଔଷଧ ଦୋକାନୀଙ୍କୁ ମାସ୍କ ଯୋଗାଇ ଦିଆଯାଉଛି। କରୋନା ମୁକାବିଲା ଅଭିଯାନରେ ସାମିଲ ହୋଇ ଏସ୍‌ଚ୍‌ଜି ସଦସ୍ୟାମାନେ ଏକ ବାର୍ତ୍ତା ଦେବା ସହ ସେମାନଙ୍କ ସାମାଜିକ ଦାୟିତ୍ୱକୁ ନିଖୁଣ ଭାବେ ନିର୍ବାହ କରୁଛନ୍ତି। ଜିଲା ସଦର ମହକୁମା ଝୁପୁଡିପଡାର ସରସ୍ବତୀ ଏସ୍‌ଏଚ୍‌ଜି, ଖଦାଳପଡାର ମାଣିକେଶ୍ୱରୀ ଏସ୍‌ଏଚ୍‌ଜି, ସୁରେଶ୍ୱରୀ ଏସ୍‌ଏଚ୍‌ଜି, ହଲଦିପାଲିର ସନ୍ତୋଷୀ ଏସ୍‌ଏଚ୍‌ଜି, ଶ୍ରୀମା ଏସ୍‌ଏଚ୍‌ଜି, ଜନମୁରାର କନାକାଳୀ ଏସ୍‌ଏଚ୍‌ଜି, ସମଲେଶ୍ୱରୀ ଏସ୍‌ଏଚ୍‌ଜି, ଡୁଙ୍ଗୁରିପାଲି ବ୍ଲକର ଓଁଶାନ୍ତି ଏସ୍‌ଏଚ୍‌ଜି, ଉଲୁଣ୍ଡାର ଜଗନ୍ନାଥ ଏସ୍‌ଏଚ୍‌ଜି, ମହୁଲପାଲିର ମାହେଶ୍ୱରୀ ଏସ୍‌ଏଚ୍‌ଜି, ଗୟେଲଗୁଡିର ଖମ୍ବେଶ୍ୱରୀ ଏସ୍‌ଏଚ୍‌ଜି ଓ ବୈରାଗୀପାଲିର ମଙ୍ଗଳା ଏସ୍‌ଏଚ୍‌ଜିର ସଦସ୍ୟାମାନେ ମାସ୍କ ତିଆରି କାମରେ ନିୟୋଜିତ ଅଛନ୍ତି। ଝୁପୁଡିପଡା ସରସ୍ବତୀ ଏସ୍‌ଏଚ୍‌ଜିର ସଭାନେତ୍ରୀ କୃଷ୍ଣପ୍ରିୟା ନାଗ କୁହନ୍ତି, ଆମ ଗ୍ରୁପ୍‌ର ୧୦ମହିଳା ମିଶି ୪ଦିନରେ ୧ହଜାରରୁ ଊର୍ଦ୍ଧ୍ୱ ମାସ୍କ ତିଆରି କଲୁଣି। ତେବେ ଲକ୍‌ଡାଉନ ଘୋଷଣା ଯୋଗୁଁ ଦୋକାନ ବନ୍ଦ ରହିଛି। ସୂତା କପଡା ମିଳୁ ନ ଥିବାରୁ ବୁଧବାର ମାସ୍କ ତିଆରିରେ ସମସ୍ୟା ସୃଷ୍ଟି ହୋଇଛି। ପ୍ରଶାସନ ଏ ଦିଗରେ ସହଯୋଗ କଲେ ଆମେ ଜିଲାବାସୀଙ୍କୁ ଅଧିକ ମାସ୍କ ଯୋଗାଇ ପାରନ୍ତୁ ।