ମାସ୍କ ନାହିଁ ତ ପେଟ୍ରୋଲ ନାହିଁ

ଭୁବନେଶ୍ୱର,୧୧ା୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର କଟକଣା ଲଗାଉଛନ୍ତି। ଏପରି କି ଅନ୍ୟ ରାଜ୍ୟ ପରି ଓଡ଼ିଶାରେ ମଧ୍ୟ ମାସ୍କ ପିନ୍ଧିବା ସରକାର ବାଧ୍ୟତାମୂଳକ କରିଛନ୍ତି। ଯେଉଁମାନେ ମାସ୍କ ନ ପିନ୍ଧି ଘରୁ ବାହାରକୁ ବାହାରୁଛି ସେମାନଙ୍କଠାରୁ ୨ ଶହରୁ ୫ଶହ ଟଙ୍କା ଜରିମାନା ବ୍ୟବସ୍ଥା ରହିଛି। ସରକାରଙ୍କ ଏହି ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ସମର୍ଥନ କରିଛି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ। ମାସ୍କ ପିନ୍ଧିବା ନିୟମକୁ କଡାକଡ଼ି ଲାଗୁ କରିଛି ସଂଘ। ଏଣିକି ମାସ୍କ ନ ପିନ୍ଧିଲେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ମିଳିବନି ବୋଲି ସଂଘ ପକ୍ଷରୁ କୁହାଯାଇଛି। ପେଟ୍ରୋଲ ପମ୍ପ କର୍ମଚାରୀ ଓ ଗ୍ରାହକଙ୍କ ସ୍ବାର୍ଥ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନିଆଯାଇଥିବା ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍‌ ସୂଚନା ଦେଇଛନ୍ତି। ଏପରି କି ପେଟ୍ରୋଲ ପମ୍ପ ମାଲିକମାନେ ସେମାନଙ୍କ କର୍ମଚାରୀଙ୍କୁ ତଗିଦ୍‌ ମଧ୍ୟ କରୁଛନ୍ତି। ଯେଉଁମାନେ ମାସ୍କ ନ ପିନ୍ଧି ଗାଡି ଆଣି ପେଟ୍ରୋଲ ପକାଇବାକୁ ଆସୁଛନ୍ତି ସେମାନଙ୍କୁ ପେଟ୍ରୋଲ ଦେବାକୁ ସିଧା ମନା କରିବାକୁ କର୍ମଚାରୀଙ୍କୁ କୁହାଯାଇଥିବା ଲାଠ୍‌ ସୂଚନା ଦେଇଛନ୍ତି।

Share