ମାସ୍କ ନ ପିନ୍ଧିଲେ ଭୋଗିବାକୁ ପଡିବ ୩ ବର୍ଷ ଜେଲଦଣ୍ଡ

ଦୋହା,୧୮।୫: କରୋନା ଭାଇରସ ସଂକ୍ରମଣ ଏବେ ସାରା ବିଶ୍ୱର ମେରୁଦଣ୍ଡକୁ ଏକ ପ୍ରକାର ଦୋହଲାଇ ଦେଇଛି କହିଲେ ଚଳେ। ଏହି ସଂକ୍ରମଣକୁ ରୋକିବାକୁ ସମସ୍ତେ ଚେଷ୍ଟା କରୁଥିବା ବେଳେ ଏହାକୁ ନେଇ ବିଭିନ୍ନ ପ୍ରକାର ଗାଇଡ୍‌ ଲାଇନ ମଧ୍ୟ ଜାରି କରାଯାଉଛି। କିଛି ଦେଶ କରୋନା ସଂକ୍ରମଣ ରୋକିବାକୁ ନୂଆ ଆଇନ ମଧ୍ୟ ଲାଗୁ କରୁଥିବା ଦେଖାଯାଇଛି। କତାର ଭଳି ଏକ ଛୋଟିଏ ଦେଶ ଏବେ କରୋନାକୁ ନେଇ ସବୁଠାରୁ କଠୋର ଆଇନ ବ୍ୟବସ୍ଥା ଲାଗୁ କରିଥିବା କୁହାଯାଉଛି। ଏଠାରେ ସର୍ବସାଧାରଣ ସ୍ଥାନରେ ମାସ୍କ ନ ପିନ୍ଧିଥିବା ଲୋକଙ୍କୁ ୩ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି ଘୋଷଣା କରାଯାଇଛି। ତେବେ କରୋନାକୁ ନେଇ ଏହା ବିଶ୍ୱର ସବୁଠାରୁ କଠୋର ଆଇନ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, କତାରରେ ଏବେ ୩୦ ହଜାର କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ଏହାପରେ ସାରା ବିଶ୍ୱରେ ତାଣ୍ଡବ ରଚିଥିବା ଏହି କରୋନା ପାଇଁ ଏଠାରେ ସବୁଠାରୁ କଠୋର ଆଇନର ଘୋଷଣା କରାଯାଇଛି। କରୋନା ସଂକ୍ରମଣ ରୋକିବାକୁ ପାଖାପାଖି ୫୦ଟି ଦେଶ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଦେଇଛନ୍ତି। କିନ୍ତୁ କତାର ଏହି ଘଟଣାରେ ସବୁଠାରୁ କଠୋର ହେବା ସହ କେବଳ ୩ ବର୍ଷ ଜେଲଦଣ୍ଡ ନୁହେଁ ବରଂ ୫୫ ହଜାର ଡଲାରର ଜରିମାନ ଲାଗିବ ବୋଲି ମଧ୍ୟ କୁହାଯାଇଛି।

Share