ମାସ୍କ ପିନ୍ଧିବାକୁ ବ୍ୟବସାୟୀ ସଂଘ ପକ୍ଷରୁ ଲୋକଙ୍କୁ କରାଯାଉଛି ସଚେତନ

ହିଳିକାଟୁ,୧୦ା୪(ଡି.ଏନ୍‌.ଏ): କରୋନା ସଂକ୍ରମଣରୁ ରକ୍ଷା ପାଇଁ ଲୋକଙ୍କୁ ମୁହଁ ଓ ନାକକୁ ମାସ୍କ କିମ୍ବା କପଡ଼ାରେ ଘୋଡ଼ାଇବା ପାଇଁ ବାଧ୍ୟତାମୂଳକ କରାଯାଇଛି। ବାହାରେ ମାସ୍କ ନ ଥିବା ବ୍ୟକ୍ତିଙ୍କ ଠାରୁ ଜରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ରହିଛି। ତେବେ କେତେକ ବ୍ୟକ୍ତି ଜରିମାନା ଭୟରେ ମାସ୍କ କିମ୍ବା କପଡ଼ାରେ ମୁହଁକୁ ଆବଦ୍ଧ କରୁଥିବା ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଦୁର୍ବନ୍ଧ ଗ୍ରାମରେ ବ୍ୟବସାୟୀ ସଂଘ ପକ୍ଷରୁ ଲୋକଙ୍କୁ ମାସ୍କ ବ୍ୟବହାର ପାଇଁ ସଚେତନ କରାଯାଉଛି। ଗ୍ରାମରେ ଗ୍ରୋସରୀ ଦୋକାନ ସମ୍ମୁଖରେ ଲିଫ୍‌ଲେଟ ଲଗାଯାଇ ମାସ୍କ ନ ଥିଲେ ଜିନିଷ ପ୍ରଦାନ କରାଯିବ ନାହିଁ ବୋଲି ପ୍ରଚାର କରାଯାଇଛି। ଏପରି ଉଦ୍ୟମ ପରେ ଅଞ୍ଚଳରେ ଏହାର ପ୍ରଭାବ ପଡ଼ୁଥିବା ଦେଖିବାକୁ ମିଳୁଛି। ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଲୋକେ ଘରୁ ବାହାରକୁ ବାହାରିଲେ ମାସ୍କ ଲଗାଉଥିବା ଦେଖିବାକୁ ମିଳୁଛି।