ମାସ୍କ ପିନ୍ଧି, ସାନିଟାଇଜର ଲଗାଇ କଲେ ବିବାହ

ପାଟନା,୧୬।୪: କରୋନା ଭାଇରସ ଯୋଗୁ ସାରା ଦେଶରେ ମେ’ ୩ ପର୍ଯ୍ୟନ୍ତ ଚାଲିଥିବା ଲକ୍‌ଡାଉନକୁ ଦେଖି ଅନେକ ଲୋକ ସେମାନଙ୍କ ବିବାହ ତାରିଖରେ ପରିବର୍ତ୍ତନ କରୁଥିବା ଦେଖାଯାଇଛି। ହେଲେ ବିହାରର ନଓ୍ବାଦା ଜିଲାରେ ଏକ ବିବାହ ତାରିଖକୁ ଥରେ ଘୁଞ୍ଚାଇ ଦିଆଯାଇଥିବା ବେଳେ ଦ୍ୱିତୀୟ ଥର କିନ୍ତୁ ଏମାନେ ଲକ୍‌ଡାଉନର ସମସ୍ତ ନିୟମ ପାଳନ କରି ବିବାହ କରିଥିବା ଦେଖାଯାଇଛି। ନଓ୍ବାଦା ଜିଲାର ଶ୍ୱେତା କୁମାରୀଙ୍କ ବିବାହ ଶେଖପୁରା ଜିଲାର ଗୌରବ କୁମାରଙ୍କ ସହ ହେବାର ଥିଲା। ହେଲେ ଲକ୍‌ଡାଉନ ପାଇଁ ଏମାନେ ବିବାହ ତାରିଖ ଏପ୍ରିଲ ୧୪କୁ ଘୁଞ୍ଚାଇ ଦେଇଥିଲେ। ହେଲେ ଏପ୍ରିଲ ୧୪ରେ ପୁଣିଥରେ ମାଦିଙ୍କ ୨.୦ ଲକ୍‌ଡାଉନର ଅବଧିକୁ ମେ’ ୩ ପର୍ଯ୍ୟନ୍ତ ବୃଦ୍ଧି କରାଯିବାରୁ ଏମାନେ ଜିଲା ପ୍ରଶାସନଠାରୁ ଅନୁମତି ଆଣି ବିବାହ କରିଥିବା ଜଣାପଡିଛି। ଏହି ବିବାହରେ ବର ପକ୍ଷର ପ୍ରାୟ ୨ ଜଣ ଓ କନ୍ୟା ପକ୍ଷର ପ୍ରାୟ ୫ ଜଣ ଲୋକ ଯୋଗ ଦେଇଥିବା କୁହାଯାଏ। ତେବେ ଉଭୟ କନ୍ୟା ଓ ବର ବିବାହ ସମୟରେ ହାତରେ ବାରମ୍ବାର ସାନିଟାଇଜର ଲଗାଇବା ସହ ମୁହଁରେ ମାସ୍କ ପିନ୍ଧି ବିବାହ କରିଥିବା ଦେଖାଯାଇଛି। ଏହି ବିବାହ ଏବେ ସେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

Share