ମାସ୍କ ପିନ୍ଧ ନ ଥିବାରୁ ପୋଲିସ-ଯୁବକ ହାତାହାତି: ଯୁବକ ଆହତ

ବନ୍ତ,୯ା୫(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବନ୍ତ ଥାନା ଛକଠାରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି।  ମାସ୍କ ପିନ୍ଧି ନ ଥିବା ଜଣେ ଯୁବକଙ୍କୁ ପୋଲିସ ତାଗିଦ୍‌ କରିବା ଘଟଣାକୁ ନେଇ ପୋଲିସ ଓ ଯୁବକଙ୍କ ମଧ୍ୟରେ ମୁହାଁମୁହିଁ ହେବା ଏବଂ ଏଥିରେ ଯୁବକ ଜଣଙ୍କର ମୁଣ୍ଡ ଫାଟି ଡାକ୍ତରଖାନାରେ ଚିକିତ୍ସିତ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।  ପୋଲିସର କହିବା ଅନୁଯାୟୀ, ଥାନା ଛକଠାରେ ପୋଲିସ ପେଟ୍ରୋଲିଂ କରିବା ବେଳେ ନିଳୋକ ପଞ୍ଚାୟତ ଦୋଳପଦୀ ଗ୍ରାମର ରାଜୀବ ସାହୁ ମାସ୍କ ନ ପିନ୍ଧି ବୁଲାବୁଲି କରୁଥିଲେ।  ତାଙ୍କୁ ମାସ୍କ ପିନ୍ଧିବା ପାଇଁ ତାଗିଦ୍‌ କରାଯିବାରୁ ସେ ପୋଲିସ ସହ ଯୁକ୍ତିତର୍କ କରିଥିଲେ।  ଫଳରେ ପୋଲିସ ତାଙ୍କୁ ପିସିଆର ଭ୍ୟାନ୍‌କୁ ନେବା ବେଳେ ସେ ପୋଲିସ ଠାରୁ ଲାଠି ଛଡାଇ ଜଣେ କନଷ୍ଟେବଳଙ୍କୁ ପିଟିଥିଲେ।  ଫଳରେ କନଷ୍ଟେବଳଙ୍କ ପକେଟରେ ଥିବା ଏକ ମୋବାଇଲ ଭାଙ୍ଗି ଯିବା ସହ ଗୋଡ଼ରେ ଆଘାତ ଲାଗିଥିଲା।  ସମ୍ପୃକ୍ତ ଯୁବକଙ୍କଠାରୁ ଲାଠି ଛଡ଼ାଇବା ବେଳେ ଯୁବକ ଜଣକ ତଳେ ପଡି ଯାଇ ମୁଣ୍ଡ ଫାଟି ଯାଇଥିବା କଥା ପୋଲିସ କହିଛି।
ଅପରପକ୍ଷେ ସମ୍ପୃକ୍ତ ଯୁବକ ଜଣକ କହିବା ଅନୁଯାୟୀ, ସେ ଥାନା ଛକରେ ଥିବା ବେଳେ ପୋଲିସ ତାଙ୍କୁ କାହିଁକି ମାସ୍କ ପିନ୍ଧି ନାହଁ ବୋଲି କହି ପ୍ରଥମେ ଲାଠିରେ ପିଟିଥିଲା।  ଫଳରେ ସେ ଲାଠି ଛଡାଇ ପୋଲିସକୁ ଆକ୍ରମଣ କରିଥିବା କହିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ପ୍ରଥମେ ବନ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇ ଭଦ୍ରକ ଜିଲା ମଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।  ସେହିପରି ସମ୍ପୃକ୍ତ ଯୁବକ ଜଣକ ମାନସିକ ବିକାରଗ୍ରସ୍ତ ବୋଲି ପରିବାର ଲୋକେ କହିଛନ୍ତି।  ଖବର ଲେଖାହେବା ପର୍ଯ୍ୟନ୍ତ ପୋଲିସ କିମ୍ବା ସମ୍ପୃକ୍ତ ଯୁବକଙ୍କ ପକ୍ଷରୁ କୌଣସି ଅଭିଯୋଗ ଥାନାରେ ହୋଇ ନ ଥିବା ଜଣାଯାଇଛି।