ପିପିଲି,୨୮।୪(ଡି.ଏନ୍.ଏ.): ରାଜ୍ୟରେ କରୋନା ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାରଙ୍କ ବିଭିନ୍ନ ପଦକ୍ଷେପମାନ ଜାରି କରାଯାଇଛି। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଘରେ ରୁହ ସୁରକ୍ଷିତ ରୁହ, ମାସ୍କ ବ୍ୟବହାର, ବାହାରେ ଛେପ ନ ପକାଇବା ଏବଂ ସାମାଜିକ ଦୂରତ୍ୱ ବଜାୟ ରଖିବା ପରି କିଛି ପଦକ୍ଷେପକୁ ସମସ୍ତେ ମାନୁଥିବାର ଦେଖାଯାଉଛି। ଏହି ସେବାରେ ପୋଲିସ, ଡାକ୍ତର, ଖବରଦାତାମାନଙ୍କ ଜରୁରିକାଳୀନ କର୍ମ ପାଇଁ ସେମାନଙ୍କୁ କରୋନା ଯୋଦ୍ଧା ଆଖ୍ୟା ଦିଆଗଲାଣି। ଏହି ଅବସରରେ ମଙ୍ଗଳବାର ପିପିଲି ଥାନା ପକ୍ଷରୁ ଜନସାଧାରଣଙ୍କୁ ମାସ୍କ ବଣ୍ଟାଯିବା ସହ ବିଭିନ୍ନ ସଚେତନ କରାଯାଇଥିଲା। ଇନ୍ସପେକ୍ଟର ଶରତ ସାହୁ ଏବଂ ସବ ଇନ୍ସପେକ୍ଟର ସଂଘମିତ୍ରା ଚାନ୍ଦ ଥାନା ସମ୍ମୁଖରେ ଥିବା ବ୍ୟାଙ୍କକୁ ଆସୁଥିବା ବ୍ୟକ୍ତି ଓ ମୁହଁରେ ମାସ୍କ ନ ଲଗାଇ ରାସ୍ତାରେ ଯାଉଥିବା ସମସ୍ତ ବ୍ୟକ୍ତିଙ୍କୁ ମାସ୍କ ଦେବା ସହ ସବୁବେଳେ ଏହାକୁ ବ୍ୟବହାର କରିବା ଓ ସାମାଜିକ ଦୂରତ୍ୱ ରଖିବାକୁ କହିଥିଲେ। ପୋଲିସର ଏହି ମହନୀୟ କାର୍ଯ୍ୟକୁ ସାଧାରଣରେ ସ୍ବାଗତ କରାଯାଇଛି।