Categories: ଜାତୀୟ

ମାୟାନଗରୀରେ ବନ୍ୟା ବିତ୍ପାତ: ଫିକା ପଡ଼ିଲା ଗଣେଶ ପୂଜା

ମୁମ୍ବାଇ,୫।୯: ମୁମ୍ବାଇରେ ମଙ୍ଗଳବାରଠାରୁ ଲଗାଣ ବର୍ଷା ହେବାରୁ ସହରର ବିଭିନ୍ନ ସ୍ଥାନରେ ବନ୍ୟା ବିତ୍ପାତ ଦେଖାଦେଇଛି। ମୁମ୍ବାଇ ଓ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହୋଇଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍କୁଲ, କଲେଜ ଗୁଡିକୁ ବନ୍ଦ ରଖାଯାଇଛି। ମାୟାନଗରୀର ବଡ଼ ପର୍ବ କୁହାଯାଉଥିବା ଗଣେଶ ଉତ୍ସବ ମଧ୍ୟ ଏଥିଯୋଗୁ ଫିକା ପଡ଼ିଯାଇଛି। ୩ ଦିନ ପରେ ଗଜାନନଙ୍କ ବିସର୍ଜନ ହେବାକୁ ଥିବା ବେଳେ ମଣ୍ଡପରେ ପ୍ରତିମାଗୁଡ଼ିକ ଏକପ୍ରକାର ଭାସୁଥିବା ଦୃଶ୍ୟ ନଜର ଆସିଛି। ଅଧିକାଂଶ ଅଞ୍ଚଳରେ ଘର ଗୁଡ଼ିକରେ ପାଣି ପାଶିଯାଇଛି ତ କେଉଁଠି ରାସ୍ତାରେ ଅଣ୍ଟାଏ ଲେଖାଏଁ ପାଣି ଜମି ରହିଛି। ଫଳରେ ଲୋକମାନଙ୍କୁ ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି। ଏଭଳି ପରିସ୍ଥିତି ଯୋଗୁ କେବଳ ସଡ଼କ କାହିଁକି ଟ୍ରେନ ଟ୍ରାକ୍‌ ମଧ୍ୟ ପାଣି ଜମା ହୋଇ ରହିବା ଫଳରେ ଅଧିକାଂଶ ଟ୍ରେନର ଦିଗ ପରିବର୍ତ୍ତନ କରାଯାଇଥିବା ବେଳେ କିଛି ଟ୍ରେନକୁ ଅସ୍ଥାୟୀ ରୂପେ ବାତିଲ କରାଯାଇଛି। ସେହିପରି ପାଗ ଖରାପ୍‌ ଥିବାରୁ ୨୦ଟି ବିମାନକୁ ବାତିଲ କରାଯାଇଥିବା ବେଳେ ଆଉ କିଛି ବିମାନ ବିଳମ୍ବରେ ଉଡିଛି। ବୁଧବାର କାର୍ଯ୍ୟାଳୟ ଯାଇଥିବା ବ୍ୟକ୍ତି ଆଉ ଘରକୁ ନ ଫେରି ସେହିଠାରେ ରାତି ସାରା ରହିଥିବା ଜଣାପଡ଼ିଛି। ଅନ୍ୟପଟେ କାର୍ଯ୍ୟରତ ଥିବା ବିଏମ୍‌ସିର ୨ଜଣ କର୍ମଚାରୀଙ୍କ ପାଣିରେ ବୁଡି ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହାକୁ ନେଇ ଗୁରୁବାର ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ସହରରେ ଆଲର୍ଟ ଜାରି କରାଯାଇଛି।

Share