ନାରୀ ହେଉଛି ପ୍ରକୃତି ସ୍ବରୂପା। ନାରୀ ହିଁ ଏ ପୁରୁଷ ପ୍ରାଧାନ୍ୟ ସମାଜର ଏକ ପ୍ରଧାନ ଉତ୍ସ। ନାରୀ ହସିଲେ ସମାଜ ହସେ। ନାରୀ କାନ୍ଦିଲେ ସମାଜ କାନ୍ଦେ। ଯେତେବେଳେ ନାରୀ ଆଖିରୁ ଲୁହ ଝରେ, ଯେତେବେଳେ ତା’ ନାକପୁଡ଼ାରୁ ତତଲା ନିଃଶ୍ୱାସ ବାହାରେ ସେତେବେଳେ ପୁରୁଷ ପ୍ରାଧାନ୍ୟ ସମାଜ ଧ୍ୱଂସ ହୋଇଯାଏ। ସେମିତି ଏକ କାହାଣୀକୁ ନେଇ ରଚିତ ହୋଇଛି ନାଟକ ‘ମାୟାବିନୀ ମୌସୁମୀ’।
ନାଟକର ଭାବବସ୍ତୁଟି ଏମିତି: ମୌସୁମୀର ଆଗମନରେ ମାଟି ହୁଏ ସବୁଜ ଶ୍ୟାମଳ। ଆନନ୍ଦରେ ବିଭୋର ହୁଏ ପୃଥିବୀ। ମୌସୁମୀ ମାୟାକଲେ ପୃଥିବୀ ହୁଏ ଧୂସର। ମାଟି ହୁଏ ମରୁଭୂମି। ସମୟର ମୌସୁମୀ ଭାଗ୍ୟର ମାଟି ଉପରେ ଯଦି କେବେ ମାୟାବିନୀ ସାଜି ମାୟାର ଖେଳ ଖେଳେ ତା’ହେଲେ ଜୀବନ ହୁଏ ବିପର୍ଯ୍ୟସ୍ତ। ମାୟାବିନୀ ମୌସୁମୀର ଉତ୍ତପ୍ତ ନିଃଶ୍ୱାସ ତଳେ ବିଚରା ମଣିଷ ଜଳିପୋଡ଼ି ଛାରଖାର ହୋଇଯାଏ।
ଏଭଳି ଏକ ସମ୍ବେଦନଶୀଳ କାହାଣୀକୁ ନେଇ ନାଟକଟିକୁ ରଚନା କରିଛନ୍ତି ନାଟ୍ୟକାର ଅଧ୍ୟାପକ ଚିନ୍ମୟ ଦାସ ଏବଂ ଏହାର ନିର୍ଦ୍ଦେଶନା ଦେଇଛନ୍ତି କିଶୋର ଖଣ୍ଡୁଆଳ। ଏହାର ସଂଗୀତ ଦାୟିତ୍ୱ ବିକାଶ ଶୁକ୍ଳା ତୁଲାଇଥିବା ବେଳେ ଗୀତ ରଚନା କରିଛନ୍ତି ନିଗମ ମିଶ୍ର। ନୃତ୍ୟ ବିଭାଗରେ ଅଛନ୍ତି ବାପିସାର୍। ଭାଇଭାଇର ପ୍ରେମ, ସନ୍ଦେହ, ପିତାର ଆଦର୍ଶ, ସାବତ ମା’ର ଈର୍ଷା, ବଡ଼ଭାଇର ତ୍ୟାଗ, ସ୍ବାମୀ ସ୍ତ୍ରୀ ମଧ୍ୟରେ ଭୁଲ୍ ବୁଝାମଣା, ପ୍ରେମିକାର ଅନନ୍ୟ ପ୍ରେମ, ଖଳନାୟକର କୁତ୍ସିତ ଷଡ଼ଯନ୍ତ୍ର, ଦାରିଦ୍ର୍ୟର ଯନ୍ତ୍ରଣାରେ ଛଟପଟ ହେଉଥିବା ଭାଇ, ପୁରୁଷ ପୀଡ଼ିତା ଯାଜ୍ଞସେନୀର କଠୋର ପ୍ରତିଜ୍ଞା, ପରିସ୍ଥିତିର ନିଅଁାରେ ଜଳି ଛଟପଟ ହେଉଥିବା ମଣିଷ ଆଦି ଘଟଣାକୁ ନେଇ ନାଟକଟି ବଳିଷ୍ଠ ହୋଇପାରିଛି। ବିନୋଦ, ବେବିନା, ରୀନା, ଲିଜା, ପୂଜା, ସାଇ ସୁରଜ, ଦୀପକ ବୋଷ, ଅଭି, ବ୍ରଜ, ବାପି, ଟୁକୁ ପ୍ରମୁଖଙ୍କ ଅଭିନୟ ଯେତିକି ଜୀବନ୍ତ ସେତିକି ପ୍ରଶଂସନୀୟ। ନାଟ୍ୟକାର ତଥା ଯାତ୍ରା ପରିଚାଳକ ବଙ୍କିମ ସ୍ବାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିବେଷିତ ହେଉଥିବା ନାଟକଟି ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇପାରୁଥିବା ଦର୍ଶକ ମହଲରୁ ଜଣାଯାଏ।