Categories: ରାଜ୍ୟ

ମା’ ଉଗ୍ରତାରା ପୀଠରେ ରଜଯାତ୍ରାମହାଲକ୍ଷ୍ମୀ ବୁଡ଼ରେ ହୁଏ ମାଛ ଭୋଗ

ନିରାକାରପୁର/ଟାଙ୍ଗୀ(ଖୋର୍ଦ୍ଧା),୧୮ା୬(ଡି.ଏନ୍‌.ଏ.)-ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ନୂଆଗଡ଼ ପଞ୍ଚାୟତ ଅନ୍ତର୍ଗତ ମୂଳିଝରସ୍ଥିତ ହାତିଆଶୁଣୀ ପାହାଡ଼ ପାଦଦେଶରେ ପ୍ରତିଷ୍ଠିତ ହୋଇଛନ୍ତି ମା’ ଉଗ୍ରତାରା ଶାକ୍ତ, ତାନ୍ତ୍ରିକ ପୀଠ ା ସୂର୍ଯ୍ୟବଂଶୀ ଗଜପତି ରାଜାଙ୍କ ରାଜତ୍ୱ ସମୟରେ ଏକ ନିଆରା ପରମ୍ପରା ବହନ କରି ୨ଟି ଶାକ୍ତ ତାନ୍ତ୍ରିକ ପୀଠ ଗଢ଼ି ଉଠିଥିଲା ା ଏଥିରୁ ଗୋଟିଏ ପୁରୀରେ ଶ୍ୟମାକାଳୀ ପୀଠ ଓ ଅନ୍ୟଟି ଉଗ୍ରତାରା ପୀଠ। ଚାରିଭୁଜା ମା’ ଉଗ୍ରତାରା ପ୍ରଭୁ ଦେବଦେବ ଶିବଙ୍କ ଉପରେ ଆସୀନ ା ମା’ ଉଗ୍ରତାରାଙ୍କ ମହିମା ଏତେ ବିଖ୍ୟାତ ଯେ ସାଧବ ପୁଅମାନେ ନୌବାଣିଜ୍ୟ ଯାତ୍ରା ପୂର୍ବରୁ ମା’ଙ୍କୁ ପୂଜାର୍ଚ୍ଚନା କରୁଥିଲେ ବୋଲି ଐତିହାସିକ ତଥା ଗବେଷକ ଡ.ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି ା ମା’ ଉଗ୍ରତାରା ମନ୍ଦିର ପରିଚାଳନା କମିଟି, ଜିଲା ପ୍ରଶାସନ ଓ ସଂସ୍କୃତି ବିଭାଗର ମିଳିତ ଉଦ୍ୟମରେ ବିଗତ ୩ ବର୍ଷ ଧରି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଛି । କବିରାଜ କର ପାଇକଆଖଡା, ଦୟାଲ ଡ୍ୟାନ୍ସଗ୍ରୁଫ୍‌ର ସମ୍ବଲପୁରୀ ନୃତ୍ୟ, ପଲ୍ଲବୀ ଡ୍ୟାନ୍ସଗ୍ରୁଫ୍‌ର ଲୋକନୃତ୍ୟ ଦର୍ଶକଙ୍କୁ ମୁଗ୍‌ଧ କରିଥିଲା । ମନ୍ଦିର ପରିଚାଳନା କମିଟି ସଭାପତି ତଥା ଖୋର୍ଦ୍ଧା ଉପଜିଲାପାଳ ସରୋଜ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଖୋର୍ଦ୍ଧା ଜିଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦଳାଇ, ଟାଙ୍ଗୀ ବ୍ଲକ୍‌ ଅଧ୍ୟକ୍ଷ ବିଜୟ କୁମାର ଜେନା, ଜିଲା ପରିଷଦ ସଭ୍ୟ ସ୍ବଦେଶ ରାଉତରାୟ, ସଭ୍ୟା ରୀସ୍ମା ମାନଧାତା, ଗୀତାଞ୍ଜଳି ପାଟ୍ଟଶାଣୀ, ଟାଙ୍ଗୀ ତହସିଲଦାର ସୁନାଶିର କିଷାନ ଓ ଟାଙ୍ଗୀ ବିଡିଓ ଅକ୍ଷୟ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ରଜ ସମୟରେ ମା’ଙ୍କ ନିକଟରେ ମଙ୍ଗଳ ଆଳତି ସହ ସ୍ବତନ୍ତ୍ର ଭୋଗ, ବାଳଭୋଗ, ଚୁଡାଘଷା, ଖଇଭୋଗ ଓ ଭକ୍ତମାନେ ଆଣିଥିବା ଭୋଗ ଅର୍ପଣ କରାଯାଇଥିଲା ା ୧ମ ପହିଲି ରଜ, ୨ୟ ରଜ ସଂକ୍ରାନ୍ତି ଓ ୩ୟ ଦିବସରେ ଭୂମି ଦହନ ଆଦି ସମସ୍ତ ନୀତି ସମ୍ପନ୍ନ ହୋଇଥିଲା। ୪ର୍ଥ ଦିନ ବା ମହାଲକ୍ଷ୍ମୀ ବୁଡ଼ରେ ମା’ଙ୍କୁ ହଳଦୀ, ମହୁ, ଚନ୍ଦନ ପଇଡ଼ପାଣି ଦ୍ୱାରା ବସୁମତୀ ସ୍ନାନ ସମ୍ପନ୍ନ କରାଯାଇଥିଲା। ବାଳଭୋଗ ପରେ ଭକ୍ତମାନେ ଆଣିଥିବା ଭୋଗକୁ ଲାଗି କରାଯାଇଥିଲା। ବିଶେଷ ଭାବେ ମଧ୍ୟାହ୍ନରେ ମାଛ, ଭାତ, ଡାଲି, ଖଟା ଆଦି ଅନ୍ନଭୋଗ ଭାବେ ମା’ଙ୍କୁ ଅର୍ପଣ କରାଯାଇଥିଲା। ସନ୍ଧ୍ୟାରେ ଆଳତି ପରେ ମା’ ଉଗ୍ରତାରା ବିଶ୍ରାମ ନେଇଥିଲେ ା ପୀଠର ବିଭିନ୍ନ ପୂଜାର୍ଚ୍ଚନା ଓ ନୀତିକାନ୍ତି ବିଷୟରେ ମନ୍ଦିରର ପୂଜକ ଦେବୀ ପ୍ରସାଦ ସାମନ୍ତରାୟ ସୂଚନା ପ୍ରଦାନ କରିଥିଲେ ା

Share