ମା’ ଗୃହରେ ବି ସାମାଜିକ ଦୂରତ୍ୱ

ଫୁଲବାଣୀ ଅଫିସ, ୧୨ା୪- କରୋନାକୁ ପ୍ରତିହତ କରିବା ପାଇଁ ସବୁଠି ସଚେତନତା କରାଯାଉଛି । ମା’ ଗୃହ ମଧ୍ୟ ଏଥିରୁ ବାଦ୍‌ ପଡିନାହିଁ। ଅପହଞ୍ଚ ଅଞ୍ଚଳର ଗର୍ଭବତୀମାନଙ୍କର ଆନୁଷ୍ଠାନିକ ପ୍ରସବକୁ ସୁନିଶ୍ଚିତ କରିବା ପାଇଁ ମା’ଗୃହ କରାଯାଇଛି । ସେଠାରେ କାର୍ଯ୍ୟରତ କର୍ମକର୍ତ୍ତା ନିରବଚ୍ଛିନ୍ନ ସେବା ଯୋଗାଉଛନ୍ତି। ଗର୍ଭବତୀ, ସେମାନଙ୍କ କେୟାର ଟେକରମାନଙ୍କୁ ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ପାଇଁ ସଚେତନ କରାଯାଉଛି । ମାକ୍ସ ବ୍ୟବହାର, ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା, ଠିକ୍‌ ସମୟରେ ଡାକ୍ତରଖାନା ପହଞ୍ଚାଇ ଆନୁଷ୍ଠାନିକ ପ୍ରସବ ଉପରେ ଗୁରୁତ୍ୱ ଦିଆଯାଉଛି ା ଲକ୍‌ଡାଉନ ମଧ୍ୟରେ ଏ ପର୍ଯ୍ୟନ୍ତ ୬୫ ଜଣ ଗର୍ଭବତୀ ପାହିରାଜୁ, କ୍ରାଣ୍ଡିବାଲି, କୁଏରିମାଣ୍ଡୁ, ଲୁଇସିଂ, ପକାରୀ ଆଦି ପଞ୍ଚାୟତରୁ ଆସି ମା’ଗୃହରେ ରହିଛନ୍ତି। ୫୧ ଜଣ ସୁରକ୍ଷିତ ମାତୃୃତ୍ୱ ଲାଭ କରିଛନ୍ତି। ୮ ଜଣଙ୍କୁ ସଂକଟାପନ୍ନ ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇ ସୁରକ୍ଷିତ ପ୍ରସବ କରାଯାଇଛି ା ବାଲନ୍ଦରାପଡାସ୍ଥିତ ମା’ଗୃହରେ କାର୍ଯ୍ୟରତ ଏଏନ୍‌ଏମ୍‌ କୋ-ଅର୍ଡିନେଟର ପୁଷ୍ପିତା ସାହୁ, ଲେଡି ହେଲ୍‌ଥ୍‌ ଆଟେଣ୍ଡାଣ୍ଟ ସାମନ୍ତି ଦିଗାଲ ଓ ରୋଷେୟା ରୀତାଞ୍ଜଳି ସାହୁ ପ୍ରମୁଖ ସେମାନଙ୍କ ଦାୟିତ୍ୱ ଠିକ୍‌ ଭାବେ ତୁଲାଇ ଆସୁଛନ୍ତି।

Share