ପୁରୁଷୋତ୍ତମପୁର,୨।୧(ଡି.ଏନ୍.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ତଥା ଇଷ୍ଟଦେବୀ ମା’ ତାରା ତାରିଣୀଙ୍କ ମନ୍ଦିରର ବିକାଶ ଲାଗି ଚାଲିଥିବା ଉନ୍ନୟନ କାର୍ଯ୍ୟକୁ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଗୁରୁବାର ବୁଲି ଦେଖିବା ସହ ସମୀକ୍ଷା କରିଛନ୍ତି । ଜିଲାପାଳ ମନ୍ଦିର ପରିସର ବୁଲି ଦେଖିବା ବେଳେ ନିକଟରେ ପଲିଥିନ ପଡ଼ିଥିବା ନେଇ ବିରକ୍ତି ପ୍ରକାଶ କରିଥିଲେ। ଏଠାକୁ ଆସୁଥିବା ପର୍ଯ୍ୟଟକମାନେ କିପରି ସୁବିଧା ସୁଯୋଗ ପାଇ ପାରିବେ ସେଥିନେଇ ପୁରୁଷୋତ୍ତମପୁର ତହସିଲଦାର ଅରୁଣ କୁମାର ନାୟକ, ବିଡିଓ ସୀମାଞ୍ଚଳ ମହାନ୍ତି, ଗ୍ରାମ୍ୟ ଜଳଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ତୁଷାରକାନ୍ତ ସାହୁ, ପୂର୍ତ୍ତ ବିଭାଗୀୟ ସହକାରୀ ଯନ୍ତ୍ରୀ ଲୋକେଶ୍ବର,ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ସହକାରୀ ଯନ୍ତ୍ରୀ ସୁରେଶ କୁମାର ମିଶ୍ର, ପୁରୁଷୋତ୍ତମପୁର ଏନ୍ଏସି ନିର୍ବାହୀ ଯନ୍ତ୍ରୀ ନାଗେଶ୍ବର ରାଓ, ମନ୍ଦିର ଉନ୍ନୟନ ପରିଷଦର ସମ୍ପାଦକ ପ୍ରମୋଦ କୁମାର ପଣ୍ଡା ଓ ପୂଜକ ବାପୁଜୀ ରଣାଙ୍କ ସହ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରି ଚାଲିଥିବା କାର୍ଯ୍ୟଗୁଡିକୁ ଯଥାଶୀଘ୍ର ଶେଷ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ।