ମା’ ତାରିଣୀଙ୍କ ଦର୍ଶନ କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଘଟଗାଁ, ୩୧ା୧୨- ମା’ ତାରିଣୀଙ୍କୁ ୨୦୧୯ ବର୍ଷ ଶେଷଦିନରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଗଲା ଓ ତାଙ୍କ ପୁତ୍ର ଚୈତନ୍ୟ ବାଗ୍‌ଲା ମଙ୍ଗଳବାର ଆସି ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ବାଗଲା ଘଟଗାଁ ମିନି ଷ୍ଟାଡିୟମଠାରେ ଦିନ ୧୨ଟା ୪୦ରେ ହେଲିକପ୍ଟର ଯୋଗେ ଆସି ଅବତରଣ କରିଥିଲେ। ସେଠାରୁ ସିଧାସଳଖ କାର୍‌ରେ ଆସି ମନ୍ଦିର ଅତିଥି ନିବାସ ଠାରେ ପହଞ୍ଚିଥିଲେ। ମା’ ତାରିଣୀଙ୍କ ମନ୍ଦିରକୁ ଚାଲି ଚାଲି ଯାଇ ମୁଖଶାଳା ଦେଇ ପ୍ରବେଶ କରି ନିଜର ମନସ୍କାମନା ପୂରଣ ପାଇଁ ନଡ଼ିଆ, ଫୁଲ ଓ ଶାଢ଼ି ଅର୍ପଣ କରିଥିଲେ। ମନ୍ଦିର ଟ୍ରଷ୍ଟବୋର୍ଡ ପକ୍ଷରୁ ତାଙ୍କୁ ସ୍ବାଗତ ଓ ଉପଢ଼ୌକନ ପ୍ରଦାନ କରାଯିବା ସହିତ ମା’ଙ୍କ ଧାନମୂର୍ତ୍ତି ପ୍ରଦାନ କରାଯାଇଥିଲା। ଏହି ଅବସରରେ ସେ ମା’ଙ୍କ କିମ୍ବଦନ୍ତୀ ସମ୍ପର୍କରେ ଓ ପୂଜାନୀତି ବିଷୟରେ ସମସ୍ତ ତଥ୍ୟ ପଚାରି ବୁଝିଥିଲେ। ଗସ୍ତ କାର୍ଯ୍ୟକ୍ରମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କେନ୍ଦୁଝର ଜିଲାପାଳ ଆଶିଷ ଠାକ୍‌ରେ, ଏସ୍‌ପି କେନ୍ଦୁଝର ମିତ୍ରଭାନୁ ମହାପାତ୍ର ତାଙ୍କୁ ସ୍ବାଗତ କରିଥିଲେ। ଟ୍ରଷ୍ଟବୋର୍ଡ ପକ୍ଷରୁ ମନ୍ଦିର ପରିଚାଳନା ବୋର୍ଡ ସଭାପତି ରାଜେନ୍ଦ୍ର ପଟ୍ଟନାୟକ, ସଦସ୍ୟ ଆନନ୍ଦ ଚନ୍ଦ୍ର ସିଂହ, ଦୟାନିଧି ମହାନ୍ତ, ନିର୍ମଳ ମହାନ୍ତି, ଆକାଉଣ୍ଟାଣ୍ଟ ଅକ୍ଷୟ ବେହେରାଙ୍କ ସମେତ ମନ୍ଦିର କର୍ମଚାରୀମାନେ ତାଙ୍କୁ ସ୍ବାଗତ କରିଥିଲେ। ସେହିପରି କେନ୍ଦୁଝର ଜିଲା କଂଗ୍ରେସ ସଭାପତି ମୋହନ ପରିଡ଼ା, ଆଲୋକ ରାଉତ, ରତିକାନ୍ତ ବରାଳ, ବଲ୍ଲଭ ମିଶ୍ର, ଚତୁର୍ଭୁଜ ରାଉତ, ପ୍ରଭାକର ନାୟକ, ଦିଲ୍ଲୀପ ବଳ, ପ୍ରଶାନ୍ତ ଦଳେଇ, ମୋହନ ହେମ୍ବ୍ରମ, ସଦାନନ୍ଦ ନାୟକ ସମେତ ଜିଲା କଂଗ୍ରେସ କମିଟିର ସମସ୍ତ ସଦସ୍ୟ ମୁଖ୍ୟମନ୍ତ୍ରୀ ବାଗଲାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ମା’ଙ୍କ ନିକଟରେ ପୂଜା ଓ ଦର୍ଶନ ବ୍ୟବସ୍ଥା ପାଇଁ ମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ବାଗଲା ଦର୍ଶନ ସାରି ମା’ଙ୍କ ପ୍ରସାଦ ସେବନ କରିଥିଲେ। ପରେ ସ୍ଥାନୀୟ ଡାକବଙ୍ଗଳାଠାରେ କଂଗ୍ରେସର ବରିଷ୍ଠ ନେତୃତ୍ୱ ଓ ସଦସ୍ୟ ସହିତ ଆଲୋଚନା କରି ୨ଟା ୪୦ରେ ପ୍ରତ୍ୟାବର୍ତ୍ତନ କରିଥିଲେ।